ଧର୍ମାନ୍ତରୀକରଣକୁ ନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ : ଦେଶରେ ଚାଲିଥିବା ବଳପୂର୍ବକ ଧର୍ମାନ୍ତରୀକରଣକୁ ନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରି ସୁପ୍ରିମକୋର୍ଟ କହିଛନ୍ତି ଯେ ଦେଶରେ ଏହା ହୋଇପାରିବ ନାହିଁ । ଏହି ପ୍ରସଙ୍ଗରେ ଆଗତ ଏକ ଜନସ୍ବାର୍ଥ ମାମଲାରେ କେନ୍ଦ୍ର ସରକାରଙ୍କ ସତ୍ୟପାଠ ଉପରେ ମତ ରଖି ଜଷ୍ଟିସ ଏମଆର ଶାହା ଏହା କହିଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଡିସେମ୍ବର ୫ ତାରିଖରେ ହେବ ।
ନିଜର ସତ୍ୟପାଠରେ କେନ୍ଦ୍ର ସରକାର ଦର୍ଶାଇଛନ୍ତି ଯେ ଦେଶରେ ସମ୍ବିଧାନ ପ୍ରଦତ୍ତ ଧର୍ମଗ୍ରହଣ କରିବାର ସ୍ବାଧୀନତାର ଅର୍ଥ ନୁହେଁ, ଯେ ଅନ୍ୟମାନଙ୍କୁ ବଳପୂର୍ବକ, ପ୍ରଲୋଭିତ କରି ନିଜ ଧର୍ମରେ ସାମିଲ କରିବା ।କେନ୍ଦ୍ର ସରକାର ଆହୁରି ମଧ୍ୟ କହିଛନ୍ତି ଯେ ଦେଶରେ ଚାଲିଥିବା ବଳପୂର୍ବକ ଧର୍ମାନ୍ତରୀକରଣକୁ ନେଇ ସରକାର ଅବତକ ଅଛନ୍ତି ଓ ଏହାକୁ ରୋକିବାକୁ ଓ ଗରିବ ଓ ମହିଳାମାନଙ୍କ ଅଧିକାରର ସୁରକ୍ଷା ପାଇଁ ଏକ ଆଇନର ଆବଶ୍ୟକତା ରହିଛି ।
ଏହି ମାମଲାର ପିଟିସନକାରୀ ଆଡଭୋକେଟ ଅଶ୍ବୀନି ଉପାଧ୍ୟାୟ ନିଜ ଆବେଦନରେ ଦର୍ଶାଇଥିଲେ ଯେ ଏହା ଏକ ନିର୍ଦିଷ୍ଟ ଅଂଚଳର ସମସ୍ୟା ନୁହେଁ, ବରଂ ସାରା ଦେଶର ସମସ୍ୟା । ଏଣୁ ସରକାର ଏହାକୁ ରୋକିବାକୁ ଏକ ସ୍ବତନ୍ତ୍ର ଆଇନ ପ୍ରଣୟନ କରନ୍ତୁ ଅଥବା ଆଇପିସିରେ ଏକ ଧାରା ଯୋଗ କରନ୍ତୁ ।