ଶିବପାଲଙ୍କ ସୁରକ୍ଷା କମାଇଲେ ଉତ୍ତରପ୍ରଦେଶ ସରକାର

0

ନୂଆଦିଲ୍ଲୀ: ହ୍ରାସ ହେଲା ଉତ୍ତରପ୍ରଦେଶର ପୂର୍ବତନ ମନ୍ତ୍ରୀ ତଥା ପ୍ରଗତିଶୀଳ ସମାଜବାଦୀ ପାର୍ଟିର ଜାତୀୟ ସଭାପତି ଶିବପାଲ ସିଂ ଯାଦବଙ୍କ ସୁରକ୍ଷା। ଶିବପାଲ ସିଂ ଯାଦବ ମେନପୁରୀ ଲୋକସଭା ଉପ-ନିର୍ବାଚନ ପାଇଁ ପ୍ରଚାର କରିବାରେ ବ୍ୟସ୍ତ ଥିବା ବେଳେ ଯୋଗୀ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ଶିବପାଲ ସିଂ ଯାଦବଙ୍କୁ ଜେଡ ବର୍ଗର ସୁରକ୍ଷା ମିଳୁଥିବା ବେଳେ ଏବେ ତାଙ୍କୁ ୱାଇ ବର୍ଗର ସୁରକ୍ଷା ମିଳିବ। ପ୍ରତିଦିନ ଶିବପାଲ ଜନସାଧାରଣଙ୍କ ନିକଟକୁ ଯାଇ ପରିବାରର ବୋହୂ ଡିମ୍ପଲ ଯାଦବଙ୍କ ପାଇଁ ଭୋଟ୍ ମାଗୁଥିବା ଦେଖାଯାଇଛି। ସୁରକ୍ଷା ହ୍ରାସ ପରେ ଶିବପାଲଙ୍କ ପ୍ରତିକ୍ରିୟା କିଭଳି ରହିଛି, ତାହା ସାମ୍ନାକୁ ଆସିନାହିଁ।

୨୦୧୮ରେ ଯୋଗୀ ସରକାର ଶିବପାଲ ଯାଦବଙ୍କୁ ଜେଡ ବର୍ଗର ସୁରକ୍ଷା ପ୍ରଦାନ କରିଥିଲେ। ହେଲେ ଏବେ ଆବଶ୍ୟକତା ନଥିବା ଭାବି ସରକାର ସୁରକ୍ଷା ହ୍ରାସ କରିଛନ୍ତି। କେବଳ ଶିବପାଲ ନୁହନ୍ତି, ପୂର୍ବରୁ ଅଖିଳେଶ ସରକାରଙ୍କ ସହ ଜଡ଼ିତ ଅନ୍ୟ କିଛି ନେତାଙ୍କର ମଧ୍ୟ ସୁରକ୍ଷା ହ୍ରାସ କରାଯାଇଥିଲା। ସେ ମଧ୍ୟରେ ଥିଲେ ଅଖିଳେଶ ଯାଦବଙ୍କ ପତ୍ନୀ ସାଂସଦ ଡିମ୍ପଲ ଯାଦବ, ଆଜମ ଖାନ୍, ସମାଜବାଦୀ ପାର୍ଟିର ମହାସଚିବ ରାମଗୋପାଳ ବର୍ମା। ସେମାନଙ୍କୁ ଜେଡ୍ ପ୍ଲସ ସୁରକ୍ଷା ମିଳୁଥିବା ବେଳେ ପରେ ଏହାକୁ ହ୍ରାସ କରାଯାଇ ୱାଇ ବର୍ଗର ସୁରକ୍ଷା ଦିଆଯାଇଥିଲା। ହେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବ, ଅଖିଳେଶ ଯାଦବ ଏବଂ ବିଏସପି ସୁପ୍ରିମୋ ମାୟାବତୀଙ୍କ ‘ଜେଡ୍ +’ ସୁରକ୍ଷା ବଜାୟ ରହିଥିଲା।

Leave A Reply

Your email address will not be published.