ଭୁବନେଶ୍ୱର (ଆମ ଟିଭି): ଗତକାଲି ବସିଥିଲା ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ୫୨ତମ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ୧୨ଟି ବିଭାଗର ୧୭ଟି ପ୍ରସ୍ତାବ କ୍ୟାବିନେଟରେ ଅନୁମୋଦନ ଲାଭ କରିଛି । ଓଡିଶା ପୋଷାକ ଓ ବୈଷୟିକ ବୟନଶିଳ୍ପ ନୀତି-୨୦୨୨ କ୍ୟାବିନେଟରେ ଅନୁମୋଦନ ଲାଭ କରିଛି । ଏହି ନୀତି ଓଡିଶାରେ ଅଧିକରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହିତ ଆନୁସଙ୍ଗିକ ଶିଳ୍ପ ପ୍ରତିଷ୍ଠାରେ ସହାୟକ ହେବ । ଏହି ନୀତିରେ ପୁଞ୍ଜି ବିନିଯୋଗ ସହାୟତା, ନିଯୁକ୍ତି ସହାୟତା ତଥା ବଜାର ବିକାଶ ସହାୟତା ନିମନ୍ତେ ପ୍ରୋତ୍ସାହନର ବ୍ୟବସ୍ଥା ରଖାଯାଇଛି ।
ଓଡିଶା କାରଖାନା ଓ ବାଷ୍ପିତ୍ର ନିରୀକ୍ଷଣ ସେବା (ନିଯୁକ୍ତି ଓ ସେବା ସର୍ତ୍ତାବଳୀ ସଂଶୋଧନ ନିୟମାବଳୀ-୨୦୨୨ କ୍ୟାବିନେଟର ଅନୁମୋଦନ ଲାଭ କରିଛି । ତଦନୁଯାୟୀ ଏହି ସେବାର ମୂଳ ପଦବୀ ଆସିଷ୍ଟାଣ୍ଟ ଡାଇରେକ୍ଟର ଚୟନ ଲାଗି ଲିଖିତ ଓ ସାକ୍ଷାତକାର ପରୀକ୍ଷା ଲୋକସେବା ଆୟୋଗ ଦ୍ବାରା କରାଯିବ । ଓଡିଆ ଚଳଚ୍ଚିତ୍ର ‘ଦମନ’କୁ ଟିକସମୁକ୍ତ କରିବା ପାଇଁ ପୂର୍ବ ନିଷ୍ପତ୍ତି କ୍ୟାବିନେଟ ଦ୍ବାରା ଅନୁମୋଦନ ଲାଭ କରିଛି । ନୂତନ ପର୍ୟ୍ୟଟନ ନୀତି-୨୦୨୨କୁ ରାଜ୍ୟ କ୍ୟାବିନେଟର ଅନୁମୋଦନ ମିଳିଛି । ପର୍ୟ୍ୟଟନ କ୍ଷେତ୍ରରେ ପୁଞ୍ଜି ବିନିଯୋଗକୁ ପୋତ୍ସାହିତ କରାଯିବା ସହିତ Health, Wellness ଓ ମେଡିକାଲ ଟୁରିଜିମ୍କୁ ପର୍ୟ୍ୟଟନ ଉଦ୍ୟୋଗ ଭାବେ ଅନୁମୋଦନ ଦେବା ପାଇଁ ବ୍ୟବସ୍ଥା ରହିଛି । ବିଭିନ୍ନ ପଦବୀରେ ଭର୍ତ୍ତି ନିମନ୍ତେ ଥିବା ଶାରୀରିକ ମାନକ ମାପ ଏବଂ ଶାରୀରିକ ଦକ୍ଷତା ପରୀକ୍ଷା ପାଇଁ ସମନ୍ବିତ ନିଯୁକ୍ତି ପ୍ରକ୍ରିୟାର ନିୟମାବଳୀ-୨୦୨୨କୁ ରାଜ୍ୟ କ୍ୟାବିନେଟର ଅନୁମୋଦନ କରିଛି । ରାଜ୍ୟ ସରକାରଙ୍କ ଅଧୀନରେ ଥିବା ‘ଖ’ ଓ ‘ଗ’ ବର୍ଗ ଅନ୍ତର୍ଗତ ବିଭିନ୍ନ ପଦବୀର ନିଯୁକ୍ତି ପ୍ରକ୍ରିୟାକୁ ସୁବ୍ୟବସ୍ଥିତ କରିବା ଏହାର ଲକ୍ଷ୍ୟ।
ଜୁନିଅର ଷ୍ଟେନୋଗ୍ରାଫର, ଜୁନିଅର ଟାଇପିଷ୍ଟ, ଡାଟା ଏଣ୍ଟ୍ରି ଅପରେଟର ଓ ଜୁନିଅର କ୍ଳର୍କ-କମ୍-ଟାଇପିଷ୍ଟ ପଦବୀ ପାଇଁ ମିଳିତ ନିଯୁକ୍ତି ପରୀକ୍ଷା ନିୟମାବଳୀ-୨୦୨୨କୁ ରାଜ୍ୟ କ୍ୟାବିନେଟର ଅନୁମୋଦନ କରିଛି । ଏହାଦ୍ବାରା ଏହି ପରୀକ୍ଷା ଗୁଡିକ ସୁବ୍ୟବସ୍ଥିତ ହେବା ସହିତ ପରୀକ୍ଷାର୍ଥୀ ଓ ରାଜ୍ୟ ସରକାରଙ୍କ ବ୍ୟୟ ଭାର ହ୍ରାସ ପାଇବ। ଅମଳ ପରବର୍ତ୍ତୀ କ୍ଷତି ଏବଂ ଉଦ୍ୟାନ କୃଷି ଉତ୍ପାଦର ବ୍ରାଣ୍ଡିଂ, ପ୍ୟାକେଜିଂ ଓ ମାର୍କେଟିଂ କ୍ଷେତ୍ରକୁ ସହାୟତା ଯୋଗାଇବା ସହ କୃଷକ ମାନଙ୍କୁ ଆର୍ଥିକ ସହାୟତା ଦେବା ଉଦ୍ଦେଶ୍ୟରେ ଅମଳ ପରବର୍ତ୍ତୀ ପରିଚାଳନା ଏବଂ ଉଦ୍ୟାନ କୃଷିର ଅମଳ ପରବର୍ତ୍ତୀ ବିପଣନରେ ସହାୟତା ଯୋଜନାଟି କ୍ୟାବିନେଟର ଅନୁମୋଦନ ଲାଭ କରିଛି । ଏହା ଗ୍ରାମାଞ୍ଚଳରେ ଚାଷୀଙ୍କ ରୋଜଗାର ବୃଦ୍ଧି ସହିତ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ଏବଂ ଉଦ୍ୟାନ କୃଷିର ଦ୍ରୁତ ଆଧୁନିକୀକରଣରେ ସହାୟକ ହେବ । ଓଡିଶାରେ ସଂଯୋଜନ କ୍ଷେତ୍ରର ବିକାଶ ପାଇଁ ଓଡିଶା ଲଜିଷ୍ଟିକ ପଲିସି-୨୦୨୨ କ୍ୟାବିନେଟର ଅନୁମୋଦନ ଲାଭ କରିଛି । ଏହା ବାଣିଜ୍ୟ ଓ ବାଣିଜ୍ୟ ପାଇଁ ଉପଯୁକ୍ତ ଗନ୍ତବ୍ୟସ୍ଥଳ ଭାବରେ ରାଜ୍ୟର ସ୍ଥିତିକୁ ସୁଦୃଢ କରିବ ଏବଂ ଯୋଗାଣ ଶୃଙ୍ଖଳକୁ ମଧ୍ୟ ମଜବୁତ କରିବ। ଏଥିରେ ସବୁଜ ଇନ୍ଧନର ବ୍ୟବହାରକୁ ମଧ୍ୟ ଉତ୍ସାହିତ କରାଯାଇଛି ।