ଓକିଲଙ୍କ ସୁପ୍ରିମକୋର୍ଟ ଝଟକା
ନୂଆଦିଲ୍ଲୀ : ସମ୍ବଲପୁରରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ଓକିଲମାନେ କରିଥିବା ଆନ୍ଦୋଳନକୁ ନେଇ ଆଜି ସୁପ୍ରିମକୋର୍ଟ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଏଥିସହ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ହୋଇ ପାରିବ ନାହିଁ ବୋଲି କହିଛନ୍ତି। ସର୍ବୋଚ୍ଚ ଅଦାଲତଙ୍କ ଆକ୍ରୋଶରୁ ଓଡ଼ିଶା ଡିଜିପି ଓ ଉତ୍ତରାଞ୍ଚଳ ଆଇଜି ମଧ୍ୟ ବର୍ତ୍ତି ପାରି ନାହାନ୍ତି। ଓକିଲ ଆନ୍ଦୋଳନକୁ ପ୍ରଶମିତ କରିବାରେ ଓଡ଼ିଶା ପୁଲିସ ବିଫଳ ହୋଇଥିବାରୁ ସୁପ୍ରିମକୋର୍ଟ ଉଭୟଙ୍କୁ କଡ଼ା ଭାଷାରେ ଭର୍ତ୍ସନା କରିଛନ୍ତି। ଯଦି ଓଡ଼ିଶା ପୁଲିସ୍ ପାରୁନି, ତା’ହେଲେ ଆମେ ପାରାମିଲିଟାରୀ ଫୋର୍ସ ଦେବୁ ବୋଲି କୋର୍ଟ କହିଛନ୍ତି। ୧୫ ପ୍ଲାଟୁନ ପୁଲିସ୍ ଫୋର୍ସ ସତ୍ତ୍ୱେ କେମିତି ଭଙ୍ଗାରୁଜା ହେଲା? ଏହା ଓଡ଼ିଶା ପୁଲିସ୍ର ଚରମ ଅବହେଳା କହି ନିଜର ଅସନ୍ତୋଷ ଝାଡ଼ିଛନ୍ତି ସର୍ବୋଚ୍ଚ ଅଦାଲତ।
ଦୀର୍ଘ ଦିନ ଧରି ପଶ୍ଚିମ ଓଡ଼ିଶା ସମେତ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ଆଇନଜୀବୀମାନେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ଆନ୍ଦୋଳନ କରୁଥିଲେ। ଏହି ଆନ୍ଦୋଳନ ଯୋଗୁ କୋର୍ଟ କାର୍ଯ୍ୟ ପ୍ରଭାବିତ ହୋଇଥିଲା। ଏ ସଂପର୍କୀତ ଏକ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଆଇନଜୀବୀମାନଙ୍କୁ ଆନ୍ଦୋଳନ ପ୍ରତ୍ୟାହାର କରିବାକୁ କହିଥିଲେ। କିନ୍ତୁ ସେମାନେ କିଛି ବି ଶୁଣି ନଥିଲେ। ସୋମବାର ସମ୍ବଲପୁରରେ ଆଇନଜୀବୀମାନେ ସେମାନଙ୍କ ଉଗ୍ରତା ପ୍ରଦର୍ଶନ କରି କୋର୍ଟ ପରିସରରେ ଭଙ୍ଗାରୁଜା କରିଥିଲେ। ପୁଲିସ୍ ଉପସ୍ଥିତିରେ ଏହି ଘଟଣା ଘଟିଥିବାରୁ ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରିଥିଲେ। ଏଥିସହ ଆଜି ଡିଜିପି ଓ ଉତ୍ତରାଞ୍ଚଳରେ ଆଇଜିଙ୍କୁ ହାଜର ହେବାକୁ କହିଥିଲେ। ଉଭୟ ଭିଓଓ କନ୍ଫରେନ୍ସ ମାଧ୍ୟମରେ ହାଜର ହୋଇଥିଲେ।
ଏହି ସମୟରେ ଜଷ୍ଟିସ ଏସକେ କୌଲ ଓ ଜଷ୍ଟିସ ଏଏସ ଓକାଙ୍କ ଖଣ୍ଡପୀଠ ବଡ଼ ମତ ରଖିଥିଲେ। ପ୍ରଥମେ ଓଡ଼ିଶା ପୁଲିସ୍କୁ ଖଣ୍ଡପୀଠ ତୀବ୍ର ସମାଲୋଚନା କରିଥିଲେ। ଏହାପରେ ହାଇକୋର୍ଟ ବେଞ୍ଚ ସ୍ଥାପନ ହୋଇପାରିବନି ବୋଲି ଖଣ୍ଡପୀଠ କହିଥିଲେ। ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଆବେଦନକୁ ସଂପୂର୍ଣ୍ଣ ଭାବେ ଖାରଜ କରି କୋର୍ଟ କହିଛନ୍ତି, ଭୌଗୋଳିକ ସ୍ଥିତି ଓ ଟେକ୍ନୋଲୋଜି ପାଇଁ ବେଞ୍ଚ ପ୍ରତିଷ୍ଠା ପାଇଁ କରାଯାଇଥିବା ଆବେଦନକୁ ଖାରଜ କରାଯାଉଛି। ଟେକ୍ନୋଲଜିର ବିକାଶ ହୋଇଥିବାରୁ ସ୍ଥାୟୀ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ହୋଇପାରିବ ନାହିଁ।