ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ହେବ ନାହିଁ ସୁପ୍ରିମକୋର୍ଟ

0

ନୂଆଦିଲ୍ଲୀ : ଚେତାବନୀ ସତ୍ତ୍ବେ ଆନ୍ଦୋଳନ କରିବା ଏବଂ ସମ୍ବଲପୁର କୋର୍ଟରେ ଆନ୍ଦୋଳନକାରୀଙ୍କ ଭଙ୍ଗାରୁଜା ନେଇ ଭୀଷଣ କ୍ଷୁବ୍‌ଧ ଥିବା ସୁପ୍ରିମ କୋର୍ଟ ଆଜି ଆହୁରି କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏଥିସହିତ ସ୍ପଷ୍ଟ କରିଦେଇଛନ୍ତି ଯେ ଓଡ଼ିଶାର କୌଣସି ସ୍ଥାନରେ ହାଇକୋର୍ଟର ଅତିରିକ୍ତ ବେଞ୍ଚ ପ୍ରତିଷ୍ଠା କରାଯିବ ନାହିଁ। ବିକଶିତ ଜ୍ଞାନକୌଶଳ ଦୃଷ୍ଟିରୁ ଏଭଳି ବେଞ୍ଚର କୌଣସି ଆବଶ୍ୟକତା କୋର୍ଟ ଅନୁଭବ କରୁନାହାନ୍ତି। ଏ ନେଇ ଆଉ କେହି ଆଶା ରଖିବା ଉଚିତ୍‌ ନୁହେଁ। ଏମିତିରେ ବି ହାଇକୋର୍ଟ ବେଞ୍ଚ ସ୍ଥାପନ ନେଇ ଯାହାବି ଟିକେ ଆଶା ଥିଲା ଆନ୍ଦୋଳନକାରୀ ଓକିଲଙ୍କ ଯୋଗୁଁ ତାହା ମଉଳି ଯାଇଛି।

ଜଷ୍ଟିସ ଏସ୍‌କେ କାଉଲ ଏବଂ ଜଷ୍ଟିସ ଏଏସ୍ ଓକାଙ୍କୁ ନେଇ ଗଠିତ ଖଣ୍ଡପୀଠ ବୁଧବାର ଦିନ ମାମଲାର ଶୁଣାଣି କରିବା ସମୟରେ କହିଛନ୍ତି ଯେ ଭିଡିଓ କନଫେରେନ୍ସିଂ ଜରିଆରେ ହାଇକୋର୍ଟ ସହ ଯୋଡ଼ିହେବା ଲାଗି ପ୍ରତ୍ୟେକ ଜିଲ୍ଲା କୋର୍ଟରେ ଏକ ସ୍ବତନ୍ତ୍ର ରୁମ୍ ଖୋଲାଯିବ। ତିନି ମାସ ମଧ୍ୟ‌ରେ ଏହି କାର୍ଯ୍ୟ ଶେଷ ହେବ। ଯେକୌଣସି ବ୍ୟକ୍ତି ଏଥିପାଇଁ ଆବେଦନ କରିପାରିବେ। କୌଣସି ବି ଜିଲ୍ଲା କୋର୍ଟରୁ ହାଇକୋର୍ଟକୁ ଅନ୍‌ଲାଇନ୍‌ରେ ମାମଲା ରୁଜୁ କରିହେବ ଓ ଭର୍ଚୁଆଲ୍‌ ବ୍ୟବସ୍ଥାରେ ଶୁଣାଣି ହୋଇପାରିବ। ଏଥିପାଇଁ ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ଦ୍ବାରା ଏକାଧିକ ପଦକ୍ଷେପ ନିଆଯାଇଛି। ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରେ ଇ-କୋର୍ଟ ଭିତ୍ତିଭୂମି ରହିଛି ଓ ଇ-ଫାଇଲିଂ ହେଉଥିବାରୁ ସ୍ଥାୟୀ ବେଞ୍ଚ ସ୍ଥାପନ ବା ଅନ୍ୟତ୍ର ସ୍ଥାନାନ୍ତର ଦାବି ପିଲାଳିଆମି। ଓଡ଼ିଶାର ୫ଟି ବାର୍‌ ୫ଟି ସ୍ଥାନରେ ହାଇକୋର୍ଟ ବେଞ୍ଚ ସ୍ଥାପନ ପାଇଁ ଦାବି ସଂପୂର୍ଣ୍ଣ ଅବାସ୍ତବ ବୋଲି ଖଣ୍ଡପୀଠ କହିଛନ୍ତି।

‌କୋର୍ଟ ଭିତରେ ଭଙ୍ଗାରୁଜା ସହ ସଂପୃକ୍ତ ଆନ୍ଦୋଳନକାରୀ ଓକିଲଙ୍କ ବିରୋଧରେ ନିଜର ଆଭିମୁଖ୍ୟକୁ ଆହୁରି କଠୋର କରି କୋର୍ଟ କହିଛନ୍ତି ଯେ ସମ୍ବଲପୁର ବାର ଆସୋସିଏସନର ସମସ୍ତ କର୍ମକର୍ତ୍ତାଙ୍କୁ ଅଦାଲତ ଅବମାନନା ନୋଟିସ ଦିଆଯିବ। ହାଇକୋର୍ଟ ବେଞ୍ଚ ସ୍ଥାପନକୁ ନେଇ ସମ୍ବଲପୁର ଓକିଲମାନଙ୍କ ଦ୍ବାରା ଆଇନଶୃଙ୍ଖଳା ସୃଷ୍ଟି ସହ ୨୬ ଜିଲ୍ଲାରେ ଓକିଲଙ୍କ ସତ୍ୟାଗ୍ରହକୁ ସୁପ୍ରିମକୋର୍ଟ ଆଦୌ ସହଜରେ ଗ୍ରହଣ କରିନାହାନ୍ତି। ସର୍ବୋଚ୍ଚ ଅଦାଲତଙ୍କ ସ୍ପଷ୍ଟ ନିର୍ଦ୍ଦେଶନାମା ସତ୍ତ୍ବେ ୧୨ ତାରିଖ ସତ୍ୟାଗ୍ରହରେ ସାମିଲ ହୋଇଥିବା କାରଣରୁ ୨୬ ଜିଲ୍ଲାର ସମସ୍ତ ବାର୍‌ ଆସୋସିଏସନ୍‌ କର୍ମକର୍ତ୍ତାଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ରୁଜୁ କରିବା ପାଇଁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ଗତକାଲି ହାଇକୋର୍ଟ ରେଜିଷ୍ଟ୍ରାର୍‌ଙ୍କ ଦ୍ବାରା ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ସତ୍ୟପାଠ ଆଧାରରେ ୨୬ ଜିଲ୍ଲାର ବାର୍‌ କର୍ମକର୍ତ୍ତାଙ୍କ ତାଲିକା ଆଧାରରେ ଏହି ସବୁ ଜିଲ୍ଲାର ବାର୍‌ ଆସୋସିଏସନ୍‌ କର୍ମକର୍ତ୍ତାଙ୍କୁ ଜାରି ହେବ ନୋଟିସ୍‌।

Leave A Reply

Your email address will not be published.