ପାକିସ୍ତାନ ମନ୍ତ୍ରୀ ଦେଲେ ଭାରତକୁ ପରମାଣୁ ଯୁଦ୍ଧ ଧମକ
ନୂଆଦିଲ୍ଲୀ : ଭାରତକୁ ପାକିସ୍ତାନର ପରମାଣୁ ଆକ୍ରମଣ ଧମକ। ପାକିସ୍ତାନର ଜଣେ ମନ୍ତ୍ରୀ ଏବେ ଭାରତକୁ ପରମାଣୁ ଯୁଦ୍ଧର ଧମକ ଦେଇଛନ୍ତି। ପାକିସ୍ତାନର ସାମାଜିକ ସୁରକ୍ଷା ମନ୍ତ୍ରୀ ତଥା ପାକିସ୍ତାନ ପିପୁଲ୍ସ ପାର୍ଟି ନେତ୍ରୀ ସାଜିଆ ମାରି ଭାରତକୁ ଯୁଦ୍ଧ ଧମକ ଦେଇଛନ୍ତି। ସାଜିଆ କହିଛନ୍ତି ଯେ, ଭାରତ ଜାଣି ରଖିବା ଦରକାର ଯେ ପାକିସ୍ତାନ ଏକ ପରମାଣୁ ଶକ୍ତି ସମ୍ପନ୍ନ ରାଷ୍ଟ୍ର। ପାକିସ୍ତାନ ତାର ପରମାଣୁ ଅସ୍ତ୍ରକୁ କେବଳ ଲୋକ ଦେଖାଣିଆ ପାଇଁ ରଖି ନାହିଁ। ଆବଶ୍ୟକ ପଡିଲେ ଏହାକୁ ବ୍ୟବହାର କରିବାକୁ ପଛଘୁଞ୍ଚା ଦେବ ନାହିଁ।
ଭାରତ ଯଦି ପାକିସ୍ତାନ ଉପରେ ଆକ୍ରମଣ କରେ ତେବେ ଇସଲାମାବାଦ ଉପଯୁକ୍ତ ଜବାବ ଦେବ। ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସମାଲୋଚନା କରି ମାରିଆ କହିଛନ୍ତି ଯେ ଭାରତର ପ୍ରଧାନମନ୍ତ୍ରୀ ଏବେ ଦେଶରେ ଘୃଣା ଭାବନା ପ୍ରସାର କରୁଛନ୍ତି । ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କୁ ସମାଲୋଚନା କରି ସେ କହିଛନ୍ତି ଯେ, ଭାରତ ଉଦ୍ଦେଶ୍ୟମୂଳକ ଭାବେ ଆତଙ୍କବାଦକୁ ମୁସଲମାନ ସହିତ ଯୋଡୁଛି । ସାଜିଆଙ୍କ ପୂର୍ବରୁ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ବିଲାୱଲ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଅଶୋଭନୀୟ ଓ ଅରୁଚିରକ ମନ୍ତବ୍ୟ ଦେଇଥିଲେ। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସେ କଂସେଇ ସହ ତୁଳନା କରିଥିଲେ। ଯାହାକୁ ନେଇ ବିଜେପି ପକ୍ଷରୁ ତୀବ୍ର ପ୍ରତିବାଦ କରାଯାଇଥିଲା।