ରାଜ୍ୟରେ ସବୁ ଜିଲ୍ଲାରେ ବୁଲିବ କହି ଟ୍ରଫି

0

ଭୁବନେଶ୍ୱର : ଆସନ୍ତା ଜାନୁୟାରୀ ୧୩ରୁ ୨୯ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ଅନୁଷ୍ଠିତ ହେଉଥିବା ବିଶ୍ୱକପ୍ ହକି ମ୍ୟାଚ ନିମନ୍ତେ ରାଜ୍ୟ ସରକାର ବ୍ୟାପକ ପ୍ରସ୍ତୁତି କରିଛନ୍ତି। ୨୫ତାରିଖରୁ ବିଶ୍ୱକପ୍ ହକି ଟ୍ରଫି ରାଜ୍ୟର ସମସ୍ତ ଜିଲ୍ଲା ବୁଲିବା ସହ ଏହାକୁ ଜିଲ୍ଲାସ୍ତରରେ ଭବ୍ୟ ସ୍ୱାଗତ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ନିମନ୍ତେ ମଧ୍ୟ ବଜେଟ୍ ଯୋଗାଇ ଦିଆଯାଇଛି । କେବଳ ସେତିକି ନୁହେଁ ହକି ମ୍ୟାଚ୍ ଚାଲିଥିବାବେଳେ ରାଜ୍ୟବ୍ୟାପୀ ବିଭିନ୍ନ ଜିଲ୍ଲାରେ ପ୍ରଦର୍ଶନୀ, ଜିଲ୍ଲା ଉତ୍ସବ, ପଲ୍ଲିଶ୍ରୀ ମେଳା ସହ ରାଜ୍ୟସ୍ତରରେ ଭୁବନେଶ୍ୱର ଓ ରାଉରକେଲାରେ ‘ଶିଶିର ସାରସ’ ମେଳା ବି ବ୍ୟାପକ ଆକାରରେ ପାଳନ ହେବ ତଥା ଏସବୁ କାର୍ଯ୍ୟକ୍ରମରେ ବିଶାଳ ଏଲଇଡି ଲଗାଯାଇ ହକି ମାଚଗୁଡ଼ିକର ସିଧା ପ୍ରସାରଣକୁ ଦେଖିବାର ସୁଯୋଗ ସାଧାରଣ ଲୋକଙ୍କ ନିମନ୍ତେ ଉପଲବ୍ଧ କରାଯିବ । ଏସବୁ ନିମନ୍ତେ ରାଜ୍ୟ ସରକାର ଜିଲ୍ଲାଗୁଡ଼ିକୁ ସ୍ୱତନ୍ତ୍ର ଭାବେ ପାଣ୍ଠି ଯୋଗାଇ ଦେଇଛନ୍ତି ।

ମିଳିଥିବା ସୂଚନା ଅନୁସାରେ ଆସନ୍ତା ୨୫ତାରିଖରେ ବିଶ୍ୱକପ୍ ହକି ଟ୍ରଫି ଭୁବନେଶ୍ୱରରୁ ବାହାରି ୨୧ଦିନ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲା ବୁଲିବ । ୨୬ରେ ପୁରୀ, ୨୭ରେ ଖୋର୍ଦ୍ଧା ଓ ନୟାଗଡ଼, ୨୮ରେ କନ୍ଧମାଳ ଓ ଗଞ୍ଜାମ, ୨୯ରେ ଗଜପତି ଓ ରାୟଗଡ଼ା, ୩୦ରେ କୋରାପୁଟ ଓ ମାଲକାନଗିରି ବୁଲିବ । ଜାନୁୟାରୀ ୧ ତାରିଖରେ ନବରଙ୍ଗପୁର ଓ କଳାହାଣ୍ଡି, ୨ରେ ନୂଆପଡ଼ା ଓ ବଲାଙ୍ଗିର, ୩ତାରିଖରେ ବୌଦ୍ଧ, ସୋନପୁର ଓ ବରଗଡ଼, ୪ତାରିଖରେ ସମ୍ବଲପୁର ଓ ଝାରସୁଗୁଡ଼ା, ୫ରେ ଦେବଗଡ଼ ଓ ଅନୁଗୁଳ, ୬ରେ ଢେଙ୍କାନାଳ, ୭ରେ କେନ୍ଦୁଝର, ୮ରେ ମୟୂରଭଞ୍ଜ, ୯ରେ ବାଲେଶ୍ୱର ଓ ଭଦ୍ରକ,୧୦ରେ ଯାଜପୁର ଓ କେନ୍ଦ୍ରାପଡ଼ା, ୧୧ରେ ଜଗତସିଂହପୁର ଓ କଟକ ଜିଲ୍ଲାକୁ ଯିବ । ୧୨ ଓ ୧୪ତାରିଖ ସୁନ୍ଦରଗଡ଼ର ସମସ୍ତ ବ୍ଲକରେ ହକି ଟ୍ରଫି ବୁଲିବ ଓ ୧୩ତାରିଖରେ ରାଉରକେଲା ସହରରେ ଟ୍ରଫିକୁ ସ୍ୱାଗତ ନିମନ୍ତେ କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇଛି ।

ଏହି ଟ୍ରଫିକୁ ସ୍ୱାଗତ କରିବା ନିମନ୍ତେ ୨୧ଟି ଜିଲ୍ଲାକୁ ୩ଲକ୍ଷ ଟଙ୍କା ଲେଖାଏଁ ଦିଆଯାଇଥିବାବେଳେ ୯ଟି ଜିଲ୍ଲା- ସୁନ୍ଦରଗଡ଼,କେନ୍ଦୁଝର,ମୟୂରଭଞ୍ଜ, ବାଲେଶ୍ୱର, କଟକ, ସମ୍ବଲପୁର, ବଲାଙ୍ଗିର, କଳାହାଣ୍ଡି ଓ ଗଞ୍ଜାମକୁ ୫ଲକ୍ଷ ଟଙ୍କା ଲେଖାଏଁ ଯୋଗାଇ ଦିଆଯାଇଛି ।

Leave A Reply

Your email address will not be published.