ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏ ରାଜାଙ୍କ ସମ୍ପତିକୁ ସିଜ୍ କଲା ଇଡି
ଚେନ୍ନାଇ: ଡିଏମକେ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏ ରାଜାଙ୍କ ବେନାମୀ କମ୍ପାନୀ ନାଁରେ ଥିବା ୪୫ ଏକର ଜମିକୁ ସିଜ୍ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି। ତାମିଲନାଡୁର କୋଏମ୍ବାଟୁରରେ ଥିବା ଏହି ଜମିର ମୂଲ୍ୟ ୫୫ କୋଟି ଟଙ୍କା ହେବ ବୋଲି ଇଡି କହିଛି।
ୟୁପିଏ-୧ ସରକାରରେ ରାଜା କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରୀ ଭାବେ କାମ କରୁଥିଲେ। ଏହି ସମୟରେ ଅର୍ଥାତ ୨୦୦୭ରେ ସେ ଗୋଟିଏ କମ୍ପାନୀକୁ ପରିବେଶ ମଞ୍ଜୁରୀ ଦେଇଥିଲେ। ଏହା ବଦଳରେ ତାଙ୍କୁ ଏହି ଜମି ମିଳିଥିଲା। ଗୋରେଗାଓଁ ଭିତ୍ତିକ ଓ ବିଏସ୍ଇ ଲିଷ୍ଟେଡ ରିୟଲ ଇଷ୍ଟେଟ କମ୍ପାନୀ ପକ୍ଷରୁ ଏପରି ଆନୁଗତ୍ୟ ରାଜାଙ୍କୁ ପ୍ରଦାନ କରାଯାଇଥିଲା ବୋଲି ଇଡି କହିଛି।
ଜମି ସିଜ୍ କରିବା ପୂର୍ବରୁ ଇଡି ପ୍ରଥମେ ପିଏମଏଲ ଅନୁଯାୟୀ ମାମଲା କରିଥିଲା। ତଦନ୍ତ ବେଳେ ଜଣାପଡ଼ିଥିଲା ଯେ ରାଜା ୨୦୦୪ରୁ ୨୦୦୭ ଯାଏ କେନ୍ଦ୍ରମନ୍ତ୍ରୀ ଥିବା ବେଳେ ଗୋଟିଏ ରିୟଲ ଇଷ୍ଟେଟ କମ୍ପାନୀକୁ ବେଆଇନ ଭାବେ ପରିବେଶ ମଞ୍ଜୁରୀ ଦେଇଥିଲେ।
ରାଜା ସିଧାସଳଖ ଏଥିପାଇଁ ଜମି ନେଇ ନଥିଲେ। ତାଙ୍କ ପରିବାର ଲୋକ ଓ ଘନିଷ୍ଠ ବନ୍ଧୁଙ୍କ ନାଁରେ ୨୦୦୭ରେ ଗୋଟିଏ ନକଲି କମ୍ପାନୀ ଖୋଲି ଏହି ଲାଞ୍ଚ କାରବାର କରିଥିଲେ। ଉକ୍ତ ଶେଲ କମ୍ପାନୀର କୌଣସି ପ୍ରକାରର ବ୍ୟବସାୟୀ କାର୍ଯ୍ୟକଳାପ ନଥିଲା। ସେହିପରି ଲାଞ୍ଚ ଗ୍ରହଣ କରିବା ଯାଏ କମ୍ପାନୀର ଆୟ ମଧ୍ୟ ହୋଇ ନଥିଲା।