୨୦୨୩ ପାଇଁ କ୍ୟାଲେଣ୍ଡର ଉନ୍ମୋଚନ କଲେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର
ନୂଆଦିଲ୍ଲୀ : କେନ୍ଦ୍ରମନ୍ତ୍ରୀ ଅନୁରାଗ ସିଂହ ଠାକୁର ବୁଧବାର ଦିନ ୨୦୨୩ ମସିହା ନିମନ୍ତେ ଭାରତ ସରକାରଙ୍କ ସରକାରୀ କ୍ୟାଲେଣ୍ଡର ଉନ୍ମୋଚନ କରିଛନ୍ତି। ଏହି ଅବସରରେ ଉଦ୍ବୋଧନ ଦେଇ ମନ୍ତ୍ରୀ କ୍ୟାଲେଣ୍ଡରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ସବ୍କା ସାଥ୍, ସବ୍କା ବିକାଶ, ସବ୍କା ବିଶ୍ୱାସ’ର ଛବି ପ୍ରତିଫଳିତ ହୋଇଛି ବୋଲି କହିଥିଲେ। କ୍ୟାଲେଣ୍ଡରଟି ୧୨ଟି ଚିତ୍ରର ଏକ ଚିତ୍ତାକର୍ଷକ ସଂଗ୍ରହ ତଥା ଏଥିରେ ‘ଅଭିବୃଦ୍ଧିମୁଖୀ ଭାରତ’ ବିଷୟବସ୍ତୁ ଥିବାରୁ ସେ ଏହାର ପ୍ରଶଂସା କରିଥିଲେ। ୧୨ମାସରେ ୧୨ କଥାବସ୍ତୁ ଜନକଲ୍ୟାଣ ଦିଗରେ ସରକାରଙ୍କ ଅକ୍ଳାନ୍ତ ଉଦ୍ୟମର ପ୍ରତିଫଳନ ବୋଲି ସେ କହିଥିଲେ।
କ୍ୟାଲେଣ୍ଡରଟି ଦୁଇବର୍ଷ ବ୍ୟବଧାନ ପରେ ଛପା ହୋଇଛି। ଏହାକୁ ସରକାରଙ୍କ ସର୍ବୋତ୍ତମ ସୃଜନ ବୋଲି କହି ଠାକୁର ଉଭୟ ଡିଜିଟାଲ ଓ ମୁଦ୍ରିତ ଢାଞ୍ଚାରେ ଉପଲବ୍ଧ ଏହି କ୍ୟାଲେଣ୍ଡର ସରକାରଙ୍କ କଲ୍ୟାଣମୂଳକ କାର୍ଯ୍ୟକ୍ରମ ଓ ପଦକ୍ଷେପ ସମ୍ପର୍କରେ ସୂଚନା ପ୍ରସାରଣର ମାଧ୍ୟମ ହେବ ବୋଲି କହିଥିଲେ। ଏହା ହିନ୍ଦୀ ଓ ଇଂରାଜୀ ସମେତ ୧୩ଟି ଭାଷାରେ ଉପଲବ୍ଧ ଏବଂ ଦେଶର ସମସ୍ତ ସରକାରୀ କାର୍ଯ୍ୟାଳୟ, ପଞ୍ଚାୟତିରାଜ ଅନୁଷ୍ଠାନ, ସ୍ୱାସ୍ଥ୍ୟକେନ୍ଦ୍ର, ନବୋଦୟ ଓ କେନ୍ଦ୍ରୀୟ ବିଦ୍ୟାଳୟ, ଜିଲ୍ଲାର ଜିଲ୍ଲାପାଳ ଓ ବିଡିଓଙ୍କଠାରେ ଉପଲବ୍ଧ ହେବା ସହ ସରକାରୀ ଉଦ୍ୟୋଗ ଓ ସ୍ୱୟଂଶାସିତ ଅନୁଷ୍ଠାନଗୁଡିକ ଏହାକୁ କ୍ରୟ କରିପାରିବେ। ମୋଟ ଏଗାର ଲକ୍ଷ କ୍ୟାଲେଣ୍ଡର ଛାପା ହେଉଥିବାବେଳେ ପଂଚାୟତଗୁଡିକରେ ବାଣ୍ଟିବା ପାଇଁ ୨.୫ଲକ୍ଷ କପି ଉଦ୍ଦିଷ୍ଟ ବୋଲି ମନ୍ତ୍ରୀ କହିଥିଲେ।