ଜାନୁୟାରୀରେ ସଂକ୍ରମଣ ବଢ଼ିପାରେ
ନୂଆଦିଲ୍ଲୀ : ଜାନୁଆରିରେ ଦେଶରେ କରୋନା ସଂକ୍ରମଣ ବଢ଼ିପାରେ। ତେଣୁ ଆଗାମୀ ୪୦ ଦିନ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି ସରକାରୀ ସ୍ତରରେ ବିବେଚନା କରାଯାଉଛି। ପୂର୍ବରୁ ଏହା ଦେଖିବାକୁ ମିଳିଛି ଯେ ପୂର୍ବ ଏସିଆରେ କରୋନା ଆତଙ୍କ ଖେଳାଇବାର ୩୦-୩୫ ଦିନ ପରେ ଭାରତରେ ସଂକ୍ରମଣ ବଢ଼ିଥିଲା।
ଏହା ଏକ ଧାରାରେ ପରିଣତ ହୋଇଛି ବୋଲି ଜଣେ ଅଧିକାରୀ କହିଛନ୍ତି। କିନ୍ତୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସଂକ୍ରମଣର ଭୟାବହତା କମ୍ ରହିବ ବୋଲି କୁହାଯାଇଛି। ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂତ୍ରରୁ ଜଣାପଡ଼ିଛି ଯେ, ଯଦିଓ ଆଗକୁ କରୋନାର ଏକ ନୂଆ ଲହର ଆସିବ ଏଥିରେ ମୃତ୍ୟୁ ଏବଂ ହସ୍ପିଟାଲ୍ରେ ରୋଗୀଙ୍କ ସଂଖ୍ୟା ଖୁବ୍ କମ୍ ରହିବ। ଉଲ୍ଲେଖଯୋଗ୍ୟ ଯେ ଚୀନ୍, ଦକ୍ଷିଣ କୋରିଆ ସମେତ କିଛି ରାଷ୍ଟ୍ରରେ ସଂକ୍ରମଣ ବଢ଼ୁଥିବାବେଳେ କେନ୍ଦ୍ର ସରକାର ଯେକୌଣସି କରୋନା ସ୍ଥିତିର ମୁକାବିଲା ପାଇଁ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଗତକାଲି ଦେଶବ୍ୟାପୀ ବିଭିନ୍ନ ହସ୍ପିଟାଲରେ କୋଭିଡ୍ ମକଡ୍ରିଲ ମଧ୍ୟ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭୀୟ ମଧ୍ୟ କରୋନା ପ୍ରସ୍ତୁତି ନେଇ ଏକ ବୈଠକ କରିଛନ୍ତି। ଓମିକ୍ରନ୍ ଉପପ୍ରଜାତି ବିଏଫ୍.୭ ପାଇଁ ସଂକ୍ରମଣ ବଢ଼ିବ ବୋଲି କୁହାଯାଉଛି।