ଭାରତ ଯୋଡ଼ୋ ଯାତ୍ରା’ରେ ଯୋଗ ଦେବା ସାଂସଦ ସ୍ମୃତି ଇରାନୀଙ୍କୁ କଂଗ୍ରେସ ଦେଲା ନିମନ୍ତ୍ର ପତ୍ର
ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ରାହୁଲ୍ ଗାନ୍ଧୀଙ୍କ ନେତୃତ୍ବାଧୀନ ‘ଭାରତ ଯୋଡ଼ୋ ଯାତ୍ରା’ରେ ଯୋଗ ଦେବା ପାଇଁ ଆମେଠି ସାଂସଦ ସ୍ମୃତି ଇରାନୀଙ୍କୁ ଜଣେ ସ୍ଥାନୀୟ କଂଗ୍ରେସ ନେତା ନିମନ୍ତ୍ରଣ ପତ୍ର ପଠାଇଥିବା ଜଣାପଡ଼ିଛି।ଜାନୁଆରି ୩ ତାରିଖରେ ଗାଜିଆବାଦ ଦେଇ ‘ଭାରତ ଯୋଡ଼ୋ ଯାତ୍ରା’ ଉତ୍ତର ପ୍ରଦେଶରେ ପ୍ରବେଶ କରିବ।
ଗୁରୁବାର ଦିନ କଂଗ୍ରେସ ନେତା ଦୀପକ ସିଂହ ଆମେଠିର ‘ବିଜେପି’ ସାଂସଦ ସ୍ମୃତି ଇରାନୀଙ୍କ ସହକାରୀ ବ୍ୟକ୍ତିଗତ ସଚିବ ନରେଶ ଶର୍ମାଙ୍କୁ ଉକ୍ତ ନିମନ୍ତ୍ରଣ ପତ୍ର ଦେଇ ‘ଭାରତ ଯୋଡ଼ୋ ଯାତ୍ରା’ରେ ଭାଗ ନେବାକୁ ଇରାନୀଙ୍କୁ ନିମନ୍ତ୍ରଣ ଜଣାଇଛନ୍ତି।
ପୂର୍ବତନ କାଉନ୍ସିଲ୍ ସଦସ୍ୟ ଦୀପକ ସିଂହ କହିଛନ୍ତି, ‘ଭାରତ ଯୋଡ଼ୋ ଯାତ୍ରା’କୁ ଆପଣମାନଙ୍କୁ ନିମନ୍ତ୍ରଣ କରିବା ଲାଗି ଦଳର ବରିଷ୍ଠ ନେତାମାନଙ୍କଠାରୁ ନିର୍ଦେଶ ପାଇଛି। ତେଣୁ, ମୁଁ ଭାବିଲି ସର୍ବ ପ୍ରଥମେ ଆମେଠି ସାଂସଦ ସ୍ମୃତି ଜୁବିନ୍ ଇରାନୀଙ୍କୁ ନିମନ୍ତ୍ରଣ ପତ୍ର ପଠାଯିବା ଉଚିତ। ଡିସେମ୍ବର ୨୮ ତାରିଖ ଦିନ ଗୌରୀଗଞ୍ଜରେ ଥିବା ତାଙ୍କ କ୍ୟାମ୍ପ୍ ଅଫିସ୍ରେ ପହଞ୍ଚି ନରେଶ ଶର୍ମାଙ୍କୁ ନିମନ୍ତ୍ରଣ ପତ୍ର ଦେଇଛି। ସେ ମୋ ନିମନ୍ତ୍ରଣ ପତ୍ର ଗ୍ରହଣ କରି କହିଛନ୍ତି ଯେ, ସେଇଟିକୁ ସେ ସାଂସଦ ଇରାନୀଙ୍କୁ ଦେଇଦେବେ।