ନୂଆଦିଲ୍ଲୀ (ଆମ ଟିଭି): ନୂଆବର୍ଷରେ ଗାନ୍ଧୀ ପରିବାରରୁ ଆସିପାରେ ବଡ଼ ଖବର । ଦୀର୍ଘ ଦିନରୁ ଗାନ୍ଧୀ ପରିବାରରୁ ଅଲଗା ରହୁଥିବା ସଂଜୟ ଗାନ୍ଧୀଙ୍କ ପତ୍ନୀ ମେନକା ଗାନ୍ଧୀ ଓ ତାଙ୍କପୁଅ ବରୁଣ ଗାନ୍ଧୀ ପୁଣିଥରେ ଗାନ୍ଧୀ ପରିବାର ସହ ଏକଜୁଟ ହୋଇପାରନ୍ତି ।
ସେପଟେ ଉତ୍ତର ପ୍ରଦେଶ ପିଲିଭିତରୁ ବିଜେପି ସାଂସଦ ଥିବା ବରୁଣ ଗାନ୍ଧୀ ଦିନକୁ ଦିନ ବିଜେପି ଉପରେ ବିଷ ଓଗାଳିବାରେ ଲାଗିଛନ୍ତି । ଏହାକୁ ଦେଖି ଅନୁମାନ କରାଯାଉଛି କି ସେ କଂଗ୍ରେସରେ ଯୋଗଦେଇ ପାରନ୍ତି । କିଛିଦିନ ପୂର୍ବରୁ ହିନ୍ଦୁ-ମୁସଲିମକୁ ନେଇ ସେ ବିଜେପି ବିରୋଧରେ ବର୍ଷିଥିବା ବେଳେ ଚାଷୀ ଆନ୍ଦୋଳନ ସମୟରେ ସେ ଖୋଲାଖୁଲି ଭାବେ ବିଜେପିକୁ ବିରୋଧ କରିବା ସହ କୃଷକମାନଙ୍କ ସପକ୍ଷରେ ମତ ରଖିଥିଲେ ।
ଏହିସବୁ କାରଣକୁ ନେଇ ଏବେ ଚର୍ଚ୍ଚା ହେଉଛି କି ବରୁଣ ଗାନ୍ଧୀ ୨୦୨୪ ନିର୍ବାଚନ ପୂର୍ବରୁ କଂଗ୍ରେସରେ ଯୋଗଦେଇ ପାରନ୍ତି । ଏନେଇ କଂଗ୍ରେସର ପୂର୍ବ ଅଧ୍ୟକ୍ଷ ତଥା ଭାରତ ଯୋଡ ଯାତ୍ରାର ନେତୃତ୍ୱ ନେଉଥିବା ରାହୁଲ ଗାନ୍ଧୀଙ୍କୁ ଗଣମାଧ୍ୟମ ପଚାରିଥିବା ପ୍ରଶ୍ନର ଉତ୍ତର ରଖିଛନ୍ତି ରାହୁଲ ଗାନ୍ଧୀ । ସେ ଏହାକୁ ସ୍ପଷ୍ଟଭାବେ ସ୍ୱୀକାର କରିନଥିଲେ ବି ସେ କହିଛନ୍ତି ବରୁଣ ଗାନ୍ଧୀ କଂଗ୍ରେସରେ ସାମିଲ ହେବେ କି ନାହିଁ ତାହା ମଲ୍ଲିକାର୍ଜୁନ ଖଡଗେ କହିପାରିବେ । ହେଲେ ଏବେ ସେ ବିଜେପିରେ ଥିବାରୁ ତାଙ୍କୁ ଅସୁବିଧା ହୋଇପାରେ ।