କାହିଁକି ଏମିତି କହିଲେ ଦିଲ୍ଲୀ ଉପ ରାଜ୍ୟପାଳ
ନୂଆଦିଲ୍ଲୀ: ଅମାନବୀୟ ଅପରାଧ ଯୋଗୁଁ ଲଜ୍ଜାରେ ମୋର ମଥା ନଇଁ ଯାଉଛି ବୋଲି ଦୁର୍ଘଟଣାରେ ସମ୍ମୁଖୀନ ହେବା ପରେ କାର୍ରେ ଲାଖି କିଛି କିଲୋମିଟର୍ ଘୋଷାଡ଼ି ହୋଇଯାଇ ମୃତ୍ୟୁବରଣ କରିଥିବା ଜଣେ ଯୁବତୀଙ୍କ କଥାରେ ଦୁଃଖ ବ୍ୟକ୍ତ କରି ରବିବାର ଦିନ ଦିଲ୍ଲୀର ଉପରାଜ୍ୟପାଳ ଭି. କେ. ସାକ୍ସେନା କହିଛନ୍ତି।
ଟୁଇଟ୍ କରି ସାକ୍ସେନା ଲେଖିଛନ୍ତି, ଆଜି ସକାଳେ କଞ୍ଝାୱଲା-ସୁଲତାନ୍ପୁରୀରେ ସଂଗଠିତ ଅମାନବୀୟ ଅପରାଧ ଯୋଗୁଁ ଲଜ୍ଜାରେ ମୋର ମଥା ନଇଁ ଯାଉଛି। ଅପରାଧୀମାନଙ୍କର ଦାନବୀୟ ନିଷ୍ଠୁରତା ମତେ ଆଘାତ ଦେଇଛି। ଦିଲ୍ଲୀ ପୁଲିସ କମିସନର୍ଙ୍କ ସହିତ ମୁଁ ଘଟଣାର ଅନୁଧ୍ୟାନ କରୁଛି। ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଛି। ଘଟଣା ସଂକ୍ରାନ୍ତରେ ସବୁ ଦିଗରୁ ତଦନ୍ତ କରାଯାଉଛି।
ପୀଡ଼ିତାଙ୍କ ପରିବାରବର୍ଗଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦିଆଯିବ ବୋଲି ନିର୍ଭର ପ୍ରତିଶ୍ରୁତି ଦିଆଯାଇଛି। ଏଭଳି ଦାନବୀୟ କାର୍ଯ୍ୟ ନ କରିବାକୁ ମୁଁ ସମସ୍ତଙ୍କୁ ନିବେଦନ କରୁଛି। ଚାଲନ୍ତୁ, ଅଧିକ ଦାୟିତ୍ବସମ୍ପନ୍ନ ଓ ସ୍ପର୍ଶକାତର ସମାଜ ଦିଗରେ ଏକତ୍ର କାର୍ଯ୍ୟ କରିବା।