ବଙ୍ଗୋପସାଗରରେ ସୃଷ୍ଟି ହେଉଛି ବଡ଼ ଲଘୁଚାପ, ଜୁଲାଇ ପ୍ରଥମ ସପ୍ତାହରୁ ପ୍ରବଳ ବର୍ଷା

0

ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ହେଉଛି ବଡ଼ ଲଘୁଚାପ। ଜୁଲାଇ ୧ରୁ ୭ ତାରିଖ ଭିତରେ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ପ୍ରଥମେ ବର୍ଷା ବଢ଼ିପାରେ। ପରେ କେନ୍ଦ୍ରୀୟ ଓ ଉତ୍ତର ଓଡ଼ିଶାରେ ବର୍ଷା ବଢ଼ିବ। ମୌସୁମୀ ପ୍ରବାହକୁ ଆହୁରି ସକ୍ରିୟ କରିବା ପାଇଁ ପ୍ରକୃତି ନିଜର ପ୍ରସ୍ତୁତି ଆରମ୍ଭ କରିଦେଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଆସନ୍ତା ଜୁଲାଇ ୨ ରୁ ୩ ତାରିଖ ମଧ୍ୟରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ ବଳୟ ସୃଷ୍ଟି ହୋଇପାରେ। ଏହା ବର୍ଷାର ପରିମାଣକୁ ବେଶ୍ ବଢ଼ାଇଦେବ ।

 

ପାଣିପାଗ ବିଶେଷଜ୍ଞଙ୍କ ଅନୁମାନ ଅନୁଯାୟୀ, ଏହି ଲଘୁଚାପ ସୃଷ୍ଟି ହେବା ପରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ଓଡ଼ିଶା, ଝାଡ଼ଖଣ୍ଡ ଏବଂ ଏହାର ଆଖପାଖ ଅଞ୍ଚଳ ଆଡ଼କୁ ମୁହାଁଇବ। ଏହା ପ୍ରଭାବରେ ଜୁଲାଇ ୧ ଏବଂ ୨ ତାରିଖରୁ ହିଁ ପାଗରେ ପରିବର୍ତ୍ତନ ଦେଖାଯିବ ଏବଂ ବର୍ଷାର ପ୍ରଭାବ ବୃଦ୍ଧି ପାଇବ। ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଭୁବନେଶ୍ୱର ସମେତ ଉପକୂଳ ଅଞ୍ଚଳରେ ତଳିଆ ସ୍ଥାନଗୁଡ଼ିକରେ ଜଳବନ୍ଦୀ ସମସ୍ୟା ଦେଖାଦେଇପାରେ। ଆଭ୍ୟନ୍ତରୀଣ ଓଡ଼ିଶାରେ ମଧ୍ୟ ଭଲ ବର୍ଷା ହେବ। ଓଡ଼ିଶା ବ୍ୟତୀତ ଗାଙ୍ଗେୟ ପଶ୍ଚିମବଙ୍ଗ, ବିହାର ଏବଂ ଝାଡ଼ଖଣ୍ଡର ଅନେକ ସ୍ଥାନରେ ମଧ୍ୟ ବ୍ୟାପକ ବର୍ଷାର ପୂର୍ବାନୁମାନ କରାଯାଇଛି।

 

ବର୍ତ୍ତମାନର ଆକଳନ ଅନୁଯାୟୀ, ଏହା କେବଳ ଏକ ଲଘୁଚାପ କ୍ଷେତ୍ର ଭାବେ ରହିବ ଏବଂ ତୁରନ୍ତ ଅବପାତ ରୂପ ନେବାର କୌଣସି ସଙ୍କେତ ନାହିଁ। କିନ୍ତୁ ବିଜୁଳି ଘଡ଼ଘଡି ସହ ପ୍ରବଳ ବର୍ଷା ହୋଇପାରେ। ବର୍ତ୍ତମାନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ବାୟୁମଣ୍ଡଳକୁ ପ୍ରଚୁର ପରିମାଣରେ ଜଳୀୟବାଷ୍ପ ଯୋଗାଉଛି। ଯାହା ଜୁଲାଇ ପ୍ରଥମ ସପ୍ତାହରେ ପୂର୍ବ ଏବଂ ମଧ୍ୟ ଭାରତରେ ମୌସୁମୀକୁ ଆହୁରି ମଜବୁତ କରିବ। ଜୁଲାଇରେ ଓଡ଼ିଶାରେ ସ୍ୱାଭାବିକ କିମ୍ବା ସ୍ୱାଭାବିକଠାରୁ ଅଧିକ ବର୍ଷା ହେବାର ଆଶା ରହିଛି।

Leave A Reply

Your email address will not be published.