ଆସନ୍ତାକାଲି ଆକାଶରେ ଦେଖାଯିବ ବିରଳ ‘ମାଇକ୍ରୋ ବ୍ଲୁ ମୁନ୍’, ଖାଲି ଆଖିରେ ଉପଭୋଗ କରିପାରିବେ ଓଡ଼ିଶାବାସୀ*

0

ଭୁବନେଶ୍ୱର, ୩୦ ମେ : ଆସନ୍ତାକାଲି ରାତିରେ ଆକାଶରେ ଦେଖାଯିବ ଏକ ବିରଳ ମହାଜାଗତିକ ଘଟଣା ‘ମାଇକ୍ରୋ ବ୍ଲୁ ମୁନ୍’। ଏହି ଘଟଣାକୁ ନେଇ ମହାକାଶପ୍ରେମୀ ଓ ସାଧାରଣ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି।

‘ବ୍ଲୁ ମୁନ୍’ ନାମ ଶୁଣିଲେ ଅନେକେ ଭାବନ୍ତି ଯେ ଚନ୍ଦ୍ର ନୀଳ ରଙ୍ଗର ଦେଖାଯିବ। କିନ୍ତୁ ବାସ୍ତବରେ ଏହାର ସହ ଚନ୍ଦ୍ରର ରଙ୍ଗର କୌଣସି ସମ୍ପର୍କ ନାହିଁ। ଜ୍ୟୋତିର୍ବିଜ୍ଞାନ ଅନୁସାରେ, ଗୋଟିଏ ଇଂରାଜୀ କ୍ୟାଲେଣ୍ଡର ମାସ ମଧ୍ୟରେ ଯେତେବେଳେ ଦୁଇଟି ପୂର୍ଣ୍ଣିମା ପଡ଼େ, ସେଥିରୁ ଦ୍ୱିତୀୟ ପୂର୍ଣ୍ଣିମାକୁ ‘ବ୍ଲୁ ମୁନ୍’ ବୋଲି କୁହାଯାଏ।

ଚଳିତ ବର୍ଷ ମେ ମାସର ୧ ତାରିଖରେ ପ୍ରଥମ ପୂର୍ଣ୍ଣିମା ହୋଇଥିବା ବେଳେ ୩୧ ମେରେ ଦ୍ୱିତୀୟ ପୂର୍ଣ୍ଣିମା ପଡ଼ୁଛି। ଏଭଳି ଘଟଣା ସାଧାରଣତଃ ପ୍ରତି ଅଢ଼େଇ ବର୍ଷରେ ଥରେ ଘଟିଥାଏ। ଏହି କାରଣରୁ ଏହାକୁ ଏକ ବିରଳ ଖଗୋଳୀୟ ଘଟଣା ଭାବେ ଗଣନା କରାଯାଏ।

ଏଥରର ପୂର୍ଣ୍ଣିମାକୁ ‘ମାଇକ୍ରୋ ବ୍ଲୁ ମୁନ୍’ କୁହାଯାଉଛି କାରଣ ଚନ୍ଦ୍ର ପୃଥିବୀଠାରୁ ତୁଳନାମୂଳକ ଅଧିକ ଦୂରରେ ରହିବ। ଫଳରେ ଏହା ସାଧାରଣ ପୂର୍ଣ୍ଣିମା ଚନ୍ଦ୍ର ଅପେକ୍ଷା ସାମାନ୍ୟ ଛୋଟ ଦେଖାଯିବ। ତେବେ ଏହାର ରଙ୍ଗ ସାଧାରଣ ଧଳା କିମ୍ବା ହାଲୁକା ହଳଦିଆ ହିଁ ରହିବ।

ପାଣିପାଗ ଅନୁକୂଳ ରହି ଆକାଶ ମେଘମୁକ୍ତ ଥିଲେ ଓଡ଼ିଶାର ସମସ୍ତ ଅଞ୍ଚଳର ଲୋକମାନେ ଖାଲି ଆଖିରେ ଏହି ସୁନ୍ଦର ଜହ୍ନକୁ ଦେଖିପାରିବେ। ମହାକାଶ ପ୍ରେମୀମାନଙ୍କ ପାଇଁ ଏହା ଏକ ସ୍ମରଣୀୟ ଅନୁଭୂତି ହେବ।

Leave A Reply

Your email address will not be published.