ମୁଁ ସମ୍ପୂର୍ଣ୍ଣ ଲଣ୍ଡା, ୱିଗ୍ ପିନ୍ଧୁଛି” : ୟୋ ୟୋ ହନି ସିଂହ*

0

ଜଣାଶୁଣା ରାପର୍ ଓ ଗାୟକ ୟୋ ୟୋ ହନି ସିଂହ ପୁଣିଥରେ ନିଜ ମାନସିକ ସ୍ୱାସ୍ଥ୍ୟ ସଂଘର୍ଷକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ନିକଟରେ ଏକ ପଡକାଷ୍ଟ ସାକ୍ଷାତକାରରେ ସେ ବାଇପୋଲାର୍ ଡିଜଅର୍ଡର ଚିକିତ୍ସା ସମୟରେ ସାମ୍ନା କରିଥିବା କଠିନ ଅନୁଭୂତି ବିଷୟରେ ଖୋଲାଖୋଲି ଭାବେ କହିଛନ୍ତି।

ହନି ସିଂହ କହିଛନ୍ତି ଯେ ବାଇପୋଲାର୍ ଡିଜଅର୍ଡର ପାଇଁ ନେଉଥିବା ଔଷଧର ପାର୍ଶ୍ୱପ୍ରତିକ୍ରିୟା ଯୋଗୁଁ ତାଙ୍କର କେଶ ଝଡ଼ିଯାଇଥିଲା। ସେ କହିଛନ୍ତି, “ମୁଁ ବର୍ତ୍ତମାନ ସମ୍ପୂର୍ଣ୍ଣ ଲଣ୍ଡା ଏବଂ ଏକ ୱିଗ୍ ବ୍ୟବହାର କରୁଛି।” ଚିକିତ୍ସା ସମୟରେ ତାଙ୍କର ଓଜନ ମଧ୍ୟ ବଢ଼ିଥିବା ସେ ପ୍ରକାଶ କରିଛନ୍ତି।

ସେ ଆହୁରି କହିଛନ୍ତି ଯେ, ଅଭିନେତା ଶାହରୁଖ ଖାନଙ୍କ ସହ ଆମେରିକା ଗସ୍ତ ଏବଂ ଏକ ରିଆଲିଟି ସୋ’ରେ ବିଚାରପତି ଭାବେ କାମ କରୁଥିବା ସମୟରେ ପ୍ରଥମେ ତାଙ୍କ ଠାରେ ଏହି ରୋଗର ଲକ୍ଷଣ ଦେଖାଯାଇଥିଲା। ସେତେବେଳେ ମଞ୍ଚ ଉପରେ ପରିବେଷଣ କରିବାକୁ ସେ ଅତ୍ୟନ୍ତ ଭୟଭୀତ ହୋଇପଡ଼ିଥିଲେ।

ମାନସିକ ସମସ୍ୟା କାରଣରୁ ସେ ଥରେ ଅଧାରୁ ଏକ ଷ୍ଟେଜ୍ ପରଫର୍ମାନ୍ସ ଛାଡ଼ି ଚାଲିଆସିଥିବା ମଧ୍ୟ କହିଛନ୍ତି। ଏହାପରେ ତାଙ୍କ ଜୀବନରେ ଦୀର୍ଘ ସଂଘର୍ଷ ଆରମ୍ଭ ହୋଇଥିଲା ଏବଂ ପ୍ରାୟ ସାତ ବର୍ଷ ଧରି ସେ ସାର୍ବଜନିକ ଜୀବନରୁ ଦୂରେଇ ରହିଥିଲେ।

ନିଜ ଅନୁଭୂତି ବର୍ଣ୍ଣନା କରି ହନି ସିଂହ କହିଛନ୍ତି ଯେ ବାଇପୋଲାର୍ ଡିଜଅର୍ଡର ଜଣେ ବ୍ୟକ୍ତିଙ୍କୁ ଏପରି ଚିନ୍ତାଧାରା ଆଡ଼କୁ ନେଇଯାଇପାରେ, ଯାହା ବାସ୍ତବରେ ଘଟୁନଥାଏ, କିନ୍ତୁ ତାହା ସତ ବୋଲି ଲାଗିଥାଏ। ତାଙ୍କର ଏହି ଖୁଲାସା ମାନସିକ ସ୍ୱାସ୍ଥ୍ୟ ନେଇ ସଚେତନତା ବୃଦ୍ଧି କରିବା ସହ ଏହି ସମସ୍ୟାର ଗମ୍ଭୀରତାକୁ ପୁଣିଥରେ ସାମ୍ନାକୁ ଆଣିଛି।

Leave A Reply

Your email address will not be published.