ଖାନ୍ ସାର୍ ଙ୍କୁ ହତ୍ୟା ଉଦ୍ୟମ? ପାଟନାର ମୁସଲ୍ଲାପୁର ହାଟ୍ ଅଞ୍ଚଳରେ ଖାନ୍ ସାରଙ୍କ କୋଚିଂ ସେଣ୍ଟର ବାହାରେ ଗୁଳିମାଡ଼ । ଗୁଳିମାଡ଼ରେ ସିକ୍ୟୁରିଟି ଗାର୍ଡ ଆହତ ହୋଇଥିବା ସୂଚନା । ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଏହି ଘଟଣାରେ ଖାନ୍ ସାର୍ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି । କମ୍ ଫି’ରେ ପଢ଼ାଉଥିବାରୁ ଖାନ୍ ସାର୍ ଙ୍କୁ ହତ୍ୟା ଉଦ୍ୟମ! ହୋଇଥିବା ଜଣାପଡିଛି । କୋଚିଂ ଇନଷ୍ଟିଚ୍ୟୁଟ୍ ବାହାରେ କିଛି ଅଜ୍ଞାତ ଦୁର୍ବୃତ୍ତ ୫ ରୁ ୮ ରାଉଣ୍ଡ ଆଖିବୁଜା ଗୁଳିମାଡ଼ କରିଛନ୍ତି । ହଠାତ୍ ହୋଇଥିବା ଏହି ଗୁଳିମାଡ଼ ଶବ୍ଦରେ ସାରା ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା । ଆକ୍ରମଣ ସମୟରେ ଖାନ୍ ସାର୍ ଙ୍କ ଇନଷ୍ଟିଚ୍ୟୁଟ୍ ର ପୋଷ୍ଟର ଓ ବ୍ୟାନର ମଧ୍ୟ ଚିରି ଦିଆଯାଇଛି । ଏହି ଆକ୍ରମଣ ପଛରେ ଅନ୍ୟ ଏକ ପ୍ରତିଦ୍ୱନ୍ଦ୍ୱୀ କୋଚିଂ ସେଣ୍ଟରର ହାତ ଥିବା ସିଧାସଳଖ ଅଭିଯୋଗ କରିଛନ୍ତି ଖାନ୍ ସାର । ଏପରିକି ଗତ କିଛି ଦିନ ହେବ ଧମକ ମଧ୍ୟ ମିଳୁଥିଲା ବୋଲି କହିଛନ୍ତି।
ଅନ୍ୟପଟେ ପାଟନା ସିନିୟର ସୁପରିଣ୍ଟେଣ୍ଡେଣ୍ଟ ଅଫ୍ ପୋଲିସ (SSP), ଏସପି (SP) ଏବଂ ପୋଲିସର ଏକାଧିକ ସ୍ପେଶାଲ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ପୋଲିସ ଆଖପାଖ ଅଞ୍ଚଳର ସିସିଟିଭି ଫୁଟେଜ୍ ଜବତ କରିବା ସହ ପ୍ରତ୍ୟକ୍ଷଦର୍ଶୀଙ୍କୁ ପଚରାଉଚରା କରୁଛି । ମୁସଲ୍ଲାପୁର ହାଟ୍ ଅଞ୍ଚଳଟି କୋଚିଂ ସେଣ୍ଟରଗୁଡ଼ିକର ଏକ ବଡ଼ ହବ୍ ହୋଇଥିବାରୁ, ପୋଲିସ ଏବେ ବ୍ୟବସାୟିକ ଶତ୍ରୁତା ଦିଗକୁ ମୁଖ୍ୟ ଆଧାର କରି ତଦନ୍ତ ଚଳାଇଛି। ବର୍ତ୍ତମାନ ସୁଦ୍ଧା କାହାକୁ ଗିରଫ କରାଯାଇ ନାହିଁ।
ଅନ୍ୟପଟେ ଖାନ୍ ସାରଙ୍କ ଇନଷ୍ଟିଚ୍ୟୁଟ୍ ଆଗରେ ଛାତ୍ରଙ୍କ ହଙ୍ଗାମା । ଗୁଳିକାଣ୍ଡ ଘଟଣାକୁ ପ୍ରତିବାଦ ଏବଂ ନିଜ ସୁରକ୍ଷାକୁ ନେଇ ହଜାର ହଜାର ସଂଖ୍ୟାରେ ଛାତ୍ରଛାତ୍ରୀ କୋଚିଂ ସେଣ୍ଟର ବାହାରେ ଏକାଠି ହୋଇଛନ୍ତି । ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି।