ଆହୁରି ସମ୍ପ୍ରସାରଣ ହେବ ଭୁବନେଶ୍ୱର ଏମ୍ସ: ଜମି ଯୋଗାଇ ଦେବେ ରାଜ୍ୟ ସରକାର

0

ଭୁବନେଶ୍ବର (ଆମ ଟିଭ): ଆହୁରି ସମ୍ପ୍ରସାରଣ ହେବ ଭୁବନେଶ୍ୱର ଏମ୍ସ । ଏମ୍‌ସ ସମ୍ପ୍ରସାରଣର ଆଶା ଉଜ୍ଜ୍ବଳ ହୋଇଛି। କାରଣ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ଡାକ୍ତରଖାନାକୁ ୧୦୦ ଏକର ଜମି ପ୍ରଦାନ ପାଇଁ ନିଷ୍ପତ୍ତି ହୋଇଛି। ଏମ୍‌ସ ନାମରେ ପଟ୍ଟା କରାଯାଇନଥିବାରୁ ଏହାକୁ ନେଇ ବିଧିବଦ୍ଧ ଭାବରେ ଘୋଷଣା କରାଯାଇ ନାହିଁ। ଯଥାଶୀଘ୍ର ଏମ୍‌ସ ନାମରେ ଜମି ଅଧିଗୃହୀତ ହୋଇ ପାରିଲେ ଏଠାରେ ସଂକ୍ରମଣ ରୋଗ ଚିକିତ୍ସା କେନ୍ଦ୍ର, ବିଭିନ୍ନ ପ୍ରକାର ଅଙ୍ଗ ପ୍ରତିରୋପଣ କେନ୍ଦ୍ର, ଆଇଭିଏଫ ଠାରୁ ଆରମ୍ଭ କରି ଗୋଟିଏ ପରେ ଗୋଟିଏ ସମସ୍ତ ପ୍ରକାର ନୂତନ ଟର୍ସିୟାରି କେୟାରର ସୁବିଧା ରୋଗୀ ପାଇବେ।

ନୂତନ କୋଠାକୁ ସମସ୍ତ ପ୍ରକାର ସୁପର ସ୍ପେସାଲିଷ୍ଟ ବିଭାଗ ପାଇଁ ଉତ୍ସର୍ଗୀକୃତ କରିବା ନେଇ ଆଲୋଚନା ଚାଲିଥିବା କହିଛନ୍ତି ଏମ୍‌ସ ଅଧୀକ୍ଷକ ପ୍ରଫେସର ଦିଲ୍ଲୀପ ପରିଡ଼ା। ବର୍ତ୍ତମାନ ଏମ୍‌ସ ଭୁବନେଶ୍ବର ପାଖରେ ୧୧୮ ଏକର ଜମି ରହିଛି। ପ୍ରତିଦିନ ଏଠାକୁ ୪ରୁ ୫ହଜାର ରୋଗୀ ଆସୁଛନ୍ତି। ସେଥିରେ ପୁଣି ସହଯୋଗୀ ଏବଂ ପରିଜନଙ୍କୁ ମିଶାଇଲେ ୧୦ ହଜାରରୁ ଊର୍ଦ୍ଧ୍ବ ବ୍ୟକ୍ତିଙ୍କ ସମାଗମ ହେଉଛି। ଏମ‌୍‌ସ ଦିଲ୍ଲୀ ପରେ ଏମ୍‌ସ ଭୁବନେଶ୍ବରକୁ ସର୍ବାଧିକ ସଂଖ୍ୟାରେ ରୋଗୀ ଆସିଥାଆନ୍ତି। କିନ୍ତୁ ଡାକ୍ତରଖାନାରେ ରହିଛି ମାତ୍ର ୧ ହଜାର ଶଯ୍ୟା। ଉନ୍ନତମାନର ଚିକିତ୍ସା ସତ୍ତ୍ବେ ଆଡମିସନ, ଅସ୍ତ୍ରୋପଚାର, ପରୀକ୍ଷଣ ଠାରୁ ଆରମ୍ଭ କରି ସମସ୍ତ ପ୍ରକାର ସେବା ପାଇଁ ରୋଗୀଙ୍କୁ ଅପେକ୍ଷା କରିବାକୁ ପଡ଼ିଥାଏ। ଡାକ୍ତରମାନଙ୍କ ଅନୁସାରେ, କ୍ୟାପିଟାଲ କିମ୍ବା ସଦର ଡାକ୍ତରଖାନା ଭଳି ପ୍ରାଥମିକ କିମ୍ବା ସେକେଣ୍ଡାରି ଚିକିତ୍ସା ନୁହେଁ ଟର୍ସିୟାରି ସେଣ୍ଟର ପାଇଁ ଏମ୍‌ସ ପ୍ରତିଷ୍ଠା ହୋଇଛି।

Leave A Reply

Your email address will not be published.