ପିପିଲି(ଆମ ଟିଭି): ପିପିଲିରେ କୁକୁଡାଙ୍କଠାରେ ବାର୍ଡ଼ ଫ୍ଲୁ ଚିହ୍ନଟ ହେବା ପରେ ଆତଙ୍କ ଖେଳିଯାଇଛି। କୁକୁଡ଼ା ପାଳକ ଚିନ୍ତାରେ ପଡିଛନ୍ତି। କୁକୁଡ଼ା ମଡ଼କ ଖବର ପ୍ରଚାର ହେବା ପରେ ଫୁଲନଖରା ସ୍ଥିତ ପ୍ରାଣୀସମ୍ପଦ ରୋଗ ଅନୁସନ୍ଧାନ କେନ୍ଦ୍ର (ଏଡିଆରଆଇ) ପକ୍ଷରୁ କୁକୁଡାଙ୍କ ମଳ, ଲାଳ ଓ ରକ୍ତ ନମୁନା ଭେଲୋରସ୍ଥିତ ପରୀକ୍ଷାଗାରକୁ ପଠାଯାଇଥିଲା। ମାତ୍ର ସେଠାରୁ ବାର୍ଡ଼ ଫ୍ଲୁ ରିପୋର୍ଟ ଆସିବା ପରେ ପ୍ରଥମ ସଂକ୍ରମିତ ସ୍ଥାନ ଆବଲପୁର ଗ୍ରାମ ଓ ଏହାର ୧ କିଲୋମିଟର ଭିତରେ ଥିବା ଫାର୍ମରେ କୁକୁଡ଼ା ମରା ଅଭିଯାନ ଆରମ୍ଭ ହୋଇଛି। ଅଭିଯାନରେ ୬୫ ସଦସ୍ୟ ବିଶିଷ୍ଟ ୧୩ଟି ରାପିଡ଼ ରେସପନ୍ସ ଟିମ ତେଇଶିପୁର, ସହଜ ପୁର, ନୂଆଗୋଡି ଆଦି ଅଂଚଳରେ ଶନି ଏବଂ ରବିବାର ଦୁଇଦିନରେ ୫ ହଜାର ୭ ଶହ ଅଣଚାଶ କୁକୁଡ଼ା ମାରି ପୋତିଛନ୍ତି ଏବଂ ଫାର୍ମଗୁଡିକୁ ରାସାୟନିକ ପ୍ରକିୟାରେ ବିଶୋଧନର ବ୍ୟବସ୍ଥା କରିଛନ୍ତି ।
ଏହିପରି ଆଗକୁ ୨୦ ହଜାର କୁକୁଡ଼ା ମରାଯିବ ବୋଲି ବିଭାଗୀୟ ଅଧିକାରୀଙ୍କ ସୂତ୍ରରୁ ଜାଣିବାକୁ ମିଳିଛି। ବାର୍ଡ଼ ଫ୍ଲୁ ଯେପରି ଜନବସତିକୁ ନବ୍ୟାପିବ ସେଥିପାଇଁ ବିଭାଗ ପକ୍ଷରୁ ସତର୍କତାମୂଳକ ବ୍ୟବସ୍ଥା କରାଯାଇଛି। ସମ୍ପୃକ୍ତ ବିଭାଗ ପକ୍ଷରୁ କ୍ଷତିଗ୍ରସ୍ତ କୁକୁଡ଼ା ଚାଷୀଙ୍କୁ ବଡ଼ କୁକୁଡ଼ା ପ୍ରତି ୭୦ ଟଙ୍କା, ଛୋଟ କୁକୁଡ଼ା ପ୍ରତି ୩୦ ଟଙ୍କା ପ୍ରଦାନ କରାଯାଇଛି। ତେବେ ଏହା ସମୁଦ୍ରକୁ ଶଙ୍ଖେ।
ଘଟଣାର ତଦନ୍ତ କରୁଛନ୍ତି ୧୩ ଜଣିଆ ଡାକ୍ତର ଟିମଙ୍କ ସମେତ ପିପିଲି ପ୍ରାଣୀ ଚିକିତ୍ସାଧିକାରୀ । ପିପିଲିରେ ୪୭ଟି କୁକୁଡ଼ା ଫାର୍ମରୁ ପାଖାପାଖି ୨୦ ହାଜରରୁ ଅଧିକ କୁକୁଡ଼ା ମରାଯିବା ଅନୁମାନ କରାଯାଉଛି । ଦ୍ୱିତୀୟ ଦିନରେ ୪ ହଜାର ୭୪୯ କୁକୁଡ଼ା ମରାଯାଇଛି । ଜନବସତିଠାରୁ ଦୂରକୁ ନେଇ ଗାତ ଖୋଳି ପୋତି ଦିଆଯାଉଛି । ପିପିଲିକୁ ୧୧ଟି ପ୍ରବେଶ ପଥ ରହିଥିବା ବେଳେ ସମସ୍ତ ପ୍ରବେଶ ପଥକୁ ସିଲ କରିବା ପାଇଁ ବିଭାଗ ପକ୍ଷରୁ ଜିଲ୍ଲାପାଳଙ୍କୁ ଅନୁରୋଧ କରାଯିବ ବୋଲି କଟକସ୍ଥିତ ପ୍ରାଣୀ ପାଳନ ଓ ପ୍ରାଣୀ ଚିକିତ୍ସା ବିଭାଗ ଅତିରିକ୍ତ ନିର୍ଦେଶକ ଜଗନ୍ନାଥ ନନ୍ଦ କହିଛନ୍ତି । ଓୟୁଏଟିରେ ବାର୍ଡ ଫ୍ଲୁ ଆତଙ୍କ ପରେ ଜାରି ରହିଛି କୁକୁଡା ମରା ଅଭିଯାନ। ଓୟୁଏଟିରୁ ୧ କିଲୋମିଟର ପରିଧି ମଧ୍ୟରେ କୁକୁଡା ମରାଯାଉଛି । ୧ରୁ ୧୦ କିଲୋମିଟର ବ୍ୟାସାର୍ଦ୍ଧ ମଧ୍ୟରେ ସ୍ଥିତିର ତଦାରଖ କରାଯାଉଛି । ଅନ୍ୟ ଅଞ୍ଚଳକୁ ଯେପରି ବାର୍ଡ ଫ୍ଲୁ ନବ୍ୟାପେ ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଉଛି ।