ପୁରୀ : ଆଜିଠୁ ପୁରୀରେ ଆରମ୍ଭ ହେବ ବ୍ରିକ୍ସ ସମ୍ମିଳନୀ । ଏକାଠି ହେବେ ୧୧ ଦେଶର ପ୍ରତିନିଧି! । ବିପର୍ଯ୍ୟୟ ମୁକାବିଲାର ଗୁରୁମନ୍ତ୍ର ଶିଖାଇବ ଓଡ଼ିଶା । ବିପର୍ଯ୍ୟୟ ମୁକାବିଲାରେ ସାରା ବିଶ୍ୱରେ ଉଦାହରଣ ସାଜିଥିବା ଓଡ଼ିଶା ପାଇଁ ଆଉ ଏକ ଗର୍ବର ବିଷୟ । ୫ ତାରିଖ ପର୍ଯ୍ୟନ୍ତ ‘ବ୍ରିକ୍ସ’ ବିପର୍ଯ୍ୟୟ ବିପଦ ହ୍ରାସ କାର୍ଯ୍ୟକାରୀ ଗୋଷ୍ଠୀର ଦ୍ୱିତୀୟ ବୈଷୟିକ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଭାରତର ବ୍ରିକ୍ସ ଅଧ୍ୟକ୍ଷତା ଅଧୀନରେ ପୁରୀର ପ୍ରସିଦ୍ଧ ‘ତାଜ୍ ପୁରୀ ରିସର୍ଟ ଆଣ୍ଡ ସ୍ପା’ଠାରେ ଏହି ହାଇ-ପ୍ରୋଫାଇଲ୍ ଆନ୍ତର୍ଜାତୀୟ କାର୍ଯ୍ୟକ୍ରମ ଆୟୋଜିତ ହେଉଛି । ବୈଠକରେ ବ୍ରିକ୍ସର ମୂଳ ସଦସ୍ୟ ଦେଶ ବ୍ରାଜିଲ, ଋଷ, ଭାରତ, ଚୀନ୍ ଏବଂ ଦକ୍ଷିଣ ଆଫ୍ରିକା ସହିତ ସହଯୋଗୀ ଦେଶ ଭାବେ ୟୁଏଇ , ସାଉଦି ଆରବ, ଇଜିପ୍ଟ, ଇରାନ, ଇଥିଓପିଆ ଏବଂ ଇଣ୍ଡୋନେସିଆର ପ୍ରତିନିଧି ଓ ବିଶେଷଜ୍ଞମାନେ ସାମିଲ ହେବେ।
ଚଳିତ ବର୍ଷର ବୈଠକ “ନୂତନତା, ସହଯୋଗ ଏବଂ ସ୍ଥାୟୀତ୍ୱ ମାଧ୍ୟମରେ ବିପର୍ଯ୍ୟୟ ସହନଶୀଳତାର ବିକାଶ” ବିଷୟବସ୍ତୁ ଉପରେ ଆଧାରିତ । ବିପର୍ଯ୍ୟୟ ପରିଚାଳନା ପାଇଁ ପାଣ୍ଠି ଯୋଗାଣ, ସ୍ଥାନୀୟ ସମୁଦାୟ ଭିତ୍ତିକ ସତର୍କ ସୂଚନା ପ୍ରଣାଳୀ, ଆଧୁନିକ ଜ୍ଞାନକୌଶଳର ବ୍ୟବହାର ଏବଂ ସଦସ୍ୟ ଦେଶଗୁଡ଼ିକ ମଧ୍ୟରେ ଜ୍ଞାନ ଆଦାନପ୍ରଦାନ ଉପରେ ଏଠାରେ ବିସ୍ତୃତ ଆଲୋଚନା କରାଯିବ ।
ଏହି ବୈଠକ ଓଡ଼ିଶା ପାଇଁ ଏକ ବଡ଼ ସମ୍ମାନ । ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟର ସଫଳ ମୁକାବିଲା, ଆଗୁଆ ସ୍ଥାନାନ୍ତରଣ ରଣନୀତି ଏବଂ ଶୂନ୍ୟ ଜୀବନହାନି ନୀତି ପାଇଁ ଓଡ଼ିଶାର ବିପର୍ଯ୍ୟୟ ପରିଚାଳନା ମଡେଲ୍ କୁ ଜାତିସଂଘ ସମେତ ସାରା ବିଶ୍ୱ ପ୍ରଶଂସା କରିଛି । ଓଡ଼ିଶାର ଏହି ଅପ୍ରତିଦ୍ୱନ୍ଦ୍ୱୀ ସଫଳତାକୁ ସ୍ୱୀକୃତି ଦେଇ ଭାରତ ସରକାର ଏହି ବୈଠକ ପାଇଁ ପୁରୀକୁ ଚୟନ କରିଛନ୍ତି । ଏହି ତିନି ଦିନିଆ ବୈଠକର ନିର୍ଯାସ ଆଗାମୀ ଦିନରେ ବ୍ରିକ୍ସର ଶୀର୍ଷ ସମ୍ମିଳନୀ ପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିବ । ଏହି ହାଇ-ପ୍ରୋଫାଇଲ୍ ଇଭେଣ୍ଟକୁ ଦୃଷ୍ଟିରେ ରଖି ପର୍ଯ୍ୟଟନ ସହର ପୁରୀରେ ସୁରକ୍ଷା ବ୍ୟବସ୍ଥାକୁ ଅତ୍ୟନ୍ତ କଡ଼ାକଡ଼ି କରାଯାଇଛି ।