ଓଡ଼ିଶା ଜନ ବିଶ୍ୱାସ ବିଲ୍କୁ କ୍ୟାବିନେଟ୍ ଅନୁମୋଦନ
ଭୁବନେଶ୍ୱର: ରାଜ୍ୟରେ ବିଶ୍ୱାସଭିତ୍ତିକ ଶାସନକୁ ସୁଦୃଢ଼ କରିବା ପାଇଁ ନିୟାମକ ସଂସ୍କାରର ଦ୍ୱିତୀୟ ତଥା ବ୍ୟାପକ ପର୍ଯ୍ୟାୟକୁ ତର୍ଜମା କରି ‘ଓଡ଼ିଶା ଜନବିଶ୍ୱାସ ବିଲ୍, ୨୦୨୬’କୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ ଦେଇଛନ୍ତି। ସେହିପରି, ଜଳସମ୍ପଦ ବିଭାଗର ନୂତନ ଐତିହ୍ୟ ଓ ପର୍ଯ୍ୟଟନଭିତ୍ତିକ ‘ବୋଇତ’ ଯୋଜନାକୁ ମଧ୍ୟ କ୍ୟାବିନେଟ୍ ମଞ୍ଜୁର କରିଛନ୍ତି।
ସୋମବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ୧୮ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ ମିଳିଛି। ୧୨ଟି ବିଭାଗର ୧୮ଟି ପ୍ରସ୍ତାବ ଉପରେ କ୍ୟାବିନେଟ୍ ମୋହର ମାରିଛି। ବୈଠକ ପରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।
ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କ୍ୟାବିନେଟ ବୈଠକର ପ୍ରମୁଖ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ‘ଓଡ଼ିଶା ଜନ ବିଶ୍ୱାସ ବିଲ୍, ୨୦୨୬’ ମାଧ୍ୟମରେ ୧୧ଟି ସରକାରୀ ବିଭାଗ ଦ୍ୱାରା ପରିଚାଳିତ ୧୬ଟି ରାଜ୍ୟ ଆଇନର ୬୨ଟି ବ୍ୟବସ୍ଥାରେ ସଂଶୋଧନ କରାଯିବାର ପ୍ରସ୍ତାବ ରହିଛି। ବିଲ୍କୁ ଦୁଇଟି ସୂଚୀରେ ବିଭକ୍ତ କରାଯାଇଛି। ପ୍ରଥମ ଅନୁସୂଚୀରେ ୧୧ଟି ଆଇନର ୩୫ଟି ସଂଶୋଧନ କରାଯାଇ କ୍ଷୁଦ୍ର, ବୈଷୟିକ ଏବଂ ପ୍ରକ୍ରିୟାଗତ ଅପରାଧଗୁଡ଼ିକୁ ଅପରାଧମୁକ୍ତ କରାଯିବା ସହ ଜେଲଦଣ୍ଡ ବଦଳରେ କେବଳ ସମାନୁପାତିକ ଆର୍ଥିକ ଜୋରିମାନାର ବ୍ୟବସ୍ଥା କରାଯାଇଛି। ସେହିପରି ଦ୍ୱିତୀୟ ଅନୁସୂଚୀରେ ୫ଟି ଆଇନରେ ୨୭ଟି ସଂଶୋଧନ କରାଯାଇ ଲାଇସେନ୍ସ ପ୍ରଦାନ ଓ ନିୟାମକ ବ୍ୟବସ୍ଥାକୁ ଅଧିକ ସରଳ କରାଯାଇଛି। ଏହାଦ୍ୱାରା ଲାଇସେନ୍ସର ବୈଧତା ଅବଧି ବୃଦ୍ଧି ପାଇବା ସହ ନବୀକରଣ (ରିନ୍ୟୁଆଲ୍) ପ୍ରକ୍ରିୟା ହ୍ରାସ ପାଇବ। ପୌର ଓ ସ୍ଥାନୀୟ ସଂସ୍ଥାଗୁଡ଼ିକରୁ ବାଣିଜ୍ୟ ଲାଇସେନ୍ସ ପାଇଥିବା ବ୍ୟବସାୟୀଙ୍କୁ ଅନ୍ୟ ବିଭାଗରୁ ଆଉ ଡୁପ୍ଲିକେଟ୍ ଲାଇସେନ୍ସ ନେବାର ଆବଶ୍ୟକତା ପଡ଼ିବ ନାହିଁ। ଏହି ସଂସ୍କାର ଫଳରେ ନିବେଶକ ଓ ସାଧାରଣ ନାଗରିକଙ୍କ ଉପରୁ ଅଯଥା ଆଇନଗତ ବୋଝ ତଥା ପ୍ରକ୍ରିୟାଗତ ବିଳମ୍ବ ହ୍ରାସ ପାଇବ ଏବଂ ପ୍ରଶାସନିକ ଦକ୍ଷତା ବୃଦ୍ଧି ପାଇବ ବୋଲି ସରକାର ଲକ୍ଷ୍ୟ ରଖିଛନ୍ତି। କୃଷି ବଜାର ଲାଇସେନ୍ସର ବର୍ଦ୍ଧିତ ବୈଧତା, ଗ୍ରାମ ପଞ୍ଚାୟତ ଲାଇସେନ୍ସ ଆବଶ୍ୟକତାକୁ ଯୁକ୍ତିଯୁକ୍ତ କରିବା ଏବଂ ନାମ ବୋର୍ଡ, ସାର୍ବଜନୀନ-ରାସ୍ତା କାର୍ଯ୍ୟ ଏବଂ ନିର୍ଦିଷ୍ଟ ଅସ୍ଥାୟୀ ବାଣିଜ୍ୟିକ କାର୍ଯ୍ୟକଳାପ ପାଇଁ ସରଳୀକୃତ ଅନୁମତି ଭଳି ପଦକ୍ଷେପ ମାଧ୍ୟମରେ ବ୍ୟବସାୟ ପାଇଁ ନିୟାମକ ସରଳୀକରଣ କରାଯାଇପାରିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।