CJP Protest: ଦିଲ୍ଲୀରେ ୧୬ଟି ମେଟ୍ରୋ ଷ୍ଟେସନ ବନ୍ଦ, ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଏଭଳି ନିଷ୍ପତ୍ତି
ଦିଲ୍ଲୀର ଜନ୍ତରମନ୍ତରରେ CJP Protest ଚାଲିଛି । ମଙ୍ଗଳବାର ରାତିରେ ଜନ୍ତର ମନ୍ତର ଏବଂ କନୋଟ ପ୍ଲେସ୍ ଅଞ୍ଚଳରେ ସିଜେପି ପ୍ରଦର୍ଶନକାରୀ ଉତ୍ତେଜନା କରିଥିଲେ । ଏହାପରେ ଦିଲ୍ଲୀ ପୋଲିସ କାର୍ଯ୍ୟାନୁଷ୍ଠାନ ନେଇଥିଲା । ଏହାରି ଭିତରେ ବଡ଼ ନିଷ୍ପତ୍ତି ନେଇଛି DMRC । ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ ପକ୍ଷରୁ ଦିଲ୍ଲୀର ୧୬ଟି ମେଟ୍ରୋ ଷ୍ଟେସନ ବନ୍ଦ ରହିବ ବୋଲି ସୂଚନା ମିଳିଛି ।
ସୂଚନା ମୁତାବକ, ରାଜୀବ ଛକ, ପଟେଲ ଛକ ମେଟ୍ରୋ ଷ୍ଟେସନ ବନ୍ଦ ରହିବ । ଏହାସହିତ ସେଣ୍ଟ୍ରାଲ ସେକ୍ରେଟେରିଏଟ୍ ଏବଂ ଜନପତ ମେଟ୍ରୋ ସମତେ ୧୬ଟି ମେଟ୍ରୋ ଷ୍ଟେସନ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି । ରାଜୀବ ଛକ ଏବଂ ସେଣ୍ଟ୍ରାଲ ସେକ୍ରେଟେରିଏଟରେ ଇଣ୍ଟରଚେଞ୍ଜ ଫ୍ୟାସିଲିଟି ଜାରି ରହିବ । କନୋଟ୍ ପ୍ଲେସ୍ ଏବଂ ଜନ୍ତରମନ୍ତର ପାଖରେ ପ୍ରଦର୍ଶନକାରୀଙ୍କ ଉତ୍ତେଜନା ଦେଖି DMRC ଏଭଳି ନିଷ୍ପତ୍ତି ନେଇଛି । DMRC କହିଛି କି, ଏହି ନିଷ୍ପତ୍ତି ସୁରକ୍ଷା କାରଣରୁ ନିଆଯାଇଛି ।
ଦିଲ୍ଲୀର ଲୋକ କଲ୍ୟାଣ ମାର୍ଗ, ରାଜୀବ ଛକ, ପଟେଲ ଛକ, ରାମକ୍ରିଷ୍ଣା ଆଶ୍ରମ ମାର୍ଗ, ବାରାଖମ୍ଭା ରୋଡ, ସୁପ୍ରିମକୋର୍ଟ, ସେବା ତୀର୍ଥ, ଜନପଥ, ମଣ୍ଡି ହାଉସ, କେନ୍ଦ୍ରୀୟ ସଚିବାଳୟ, ଆଇଟିଓ, ଦିଲ୍ଲୀ ଗେଟ୍, ଇନ୍ଦ୍ରପ୍ରସ୍ଥ, ଖାନ ମାର୍କେଟ, ଜୋର ବାଗ, ଶିବାଜୀ ଷ୍ଟାଡିୟମ ଏସବୁ ମେଟ୍ରୋ ଷ୍ଟେସନ ବନ୍ଦ ରହିବ ।
ତେବେ ମେଟ୍ରୋ ଷ୍ଟେସନରେ ସିଆରପିଏଫ ନିୟୋଜିତ ରହିଛନ୍ତି । ସଂସଦ ଯିବାକୁ ଥିବା ରାସ୍ତାରେ ସିଆରପିଏଫ ମଧ୍ୟ ନିୟୋଜିତ ରହିଛନ୍ତି । ଜନ୍ତରମନ୍ତର ଆଖାପାଖରେ ଥିବା ମେଟ୍ରୋ ଷ୍ଟେସନରେ ମଧ୍ୟ ଦିଲ୍ଲୀ ପୋଲିସ ନିୟୋଜିତ ରହିଛି ।