ହାଇ-ଟେକ୍ ମେଡିକାଲ କଲେଜ୍ ଏବଂ ହସ୍ପିଟାଲ, ଭୁବନେଶ୍ୱରରେ ଜଟିଳ ଜରୁରୀକାଳୀନ ଏଅର୍ଟିକ୍ ସର୍ଜରୀ ସଫଳତାର ସହିତ ସମ୍ପନ୍ନ

0

ଭୁବନେଶ୍ୱରସ୍ଥିତ ହାଇ-ଟେକ୍ ମେଡିକାଲ କଲେଜ୍ ଏବଂ ହସ୍ପିଟାଲର କାର୍ଡିଓଥୋରାସିକ୍ ଏବଂ ଭାସ୍କୁଲାର ସର୍ଜରୀ ବିଭାଗ ତୀବ୍ର ଏଅର୍ଟିକ୍ ଡିସେକ୍ସନ୍‌ରେ ପୀଡ଼ିତ ଜଣେ ୪୧ ବର୍ଷୀୟ ରୋଗୀଙ୍କର ଏକ ଜଟିଳ ଜରୁରୀକାଳୀନ ଅସ୍ତ୍ରୋପଚାର ସଫଳତାର ସହିତ ସମ୍ପନ୍ନ କରିଛି। ଓଡ଼ିଶାରେ ଏହି ଉନ୍ନତ ହୃଦ୍‌ରୋଗ ଚିକିତ୍ସା କ୍ଷେତ୍ରରେ ଏକ ଉଲ୍ଲେଖନୀୟ ସଫଳତା।

ପେସାରେ ଜଣେ ଡ୍ରାଇଭର ଥିବା ସୁରଜ ନାୟକ ଏହି ଜୀବନଘାତୀ ହୃଦ୍‌ରୋଗରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତାଙ୍କର ଏଅର୍ଟିକ୍ ଭାଲ୍ଭ ରିପ୍ଲେସମେଣ୍ଟ ଏବଂ ଆସେଣ୍ଡିଂ ଏଅର୍ଟା ରିପ୍ଲେସମେଣ୍ଟ କରାଯାଇଥିଲା, ଯାହା ପାଇଁ ସୁଚିନ୍ତିତ ସର୍ଜିକାଲ୍ ପ୍ଲାନିଂ, ଉନ୍ନତ ପର୍ଫ୍ୟୁଜନ୍ ପ୍ରଯୁକ୍ତି ଏବଂ ସମନ୍ୱିତ ଚିକିତ୍ସା ବ୍ୟବସ୍ଥା ଆବଶ୍ୟକ ହୋଇଥାଏ।

କାର୍ଡିଓଥୋରାସିକ୍ ଏବଂ ଭାସ୍କୁଲାର ସର୍ଜରୀ ବିଭାଗର ମୁଖ୍ୟ ଏବଂ ସିନିୟର କନସଲଟାଣ୍ଟ ଡା. ଶ୍ୱେତାଙ୍କ ଦାସଙ୍କ ନେତୃତ୍ୱରେ ସନ୍ଧ୍ୟାରୁ ଭୋର ୪ଟା ପର୍ଯ୍ୟନ୍ତ ପ୍ରାୟ ୭ ଘଣ୍ଟା ଧରି ଏହି ରାତିଅଧିଆ ଅସ୍ତ୍ରୋପଚାର ଚାଲିଥିଲା। ଏଥିରେ ଡା. ଏସ୍. ପି. ସାହୁ, ଡା. ସତ୍ୟ ସ୍ୱରୂପ ପଟ୍ଟନାୟକ, ଡା. ସୁମିତ, ଡା. ରିତେଶ ଆଚାର୍ଯ୍ୟ ଏବଂ ଡା. ପି. କେ. ଦାଶ ପ୍ରମୁଖ ସହଯୋଗ କରିଥିଲେ। ଏଥିସହ ଆନେସ୍ଥେସିଆ, ପର୍ଫ୍ୟୁଜନ୍, ଥିଏଟର୍, ଆଇସିୟୁ ଏବଂ ନର୍ସିଂ ଟିମ୍‌ର ପରି ବହୁବିଭାଗୀୟ ଦଳର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଥିଲା।

ଅସ୍ତ୍ରୋପଚାରର ସବୁଠାରୁ ଆହ୍ୱାନପୂର୍ଣ୍ଣ ପର୍ଯ୍ୟାୟ ଥିଲା ୩୪ ମିନିଟ୍‌ର ଟୋଟାଲ ସର୍କୁଲେଟୋରୀ ଆରେଷ୍ଟ । ଏହି ସମୟରେ ଅତ୍ୟନ୍ତ ସୁରକ୍ଷିତ ଏବଂ ନିୟନ୍ତ୍ରିତ ପରିସ୍ଥିତିରେ ଶରୀରର ରକ୍ତ ସଞ୍ଚାଳନ ସାମୟିକ ଭାବେ ବନ୍ଦ ରଖାଯାଇ ଅସୁସ୍ଥ ଆସେଣ୍ଡିଂ ଏଅର୍ଟାର ଜଟିଳ ଅସ୍ତ୍ରୋପଚାର କରାଯାଇଥିଲା। ଗୁରୁତର ଅବସ୍ଥା ସତ୍ତ୍ୱେ ସର୍ଜରୀ ସଫଳ ହୋଇଥିଲା ଏବଂ ଅପରେସନ୍‌ର ପଞ୍ଚମ ଦିନରେ ଉଲ୍ଲେଖନୀୟ ସୁଧାର ସହ ରୋଗୀଙ୍କୁ ସୁସ୍ଥ ଅବସ୍ଥାରେ ଡିସ୍ଚାର୍ଜ କରାଯାଇଥିଲା।

ଏହି ବିରଳ ସଫଳତା ସମ୍ପର୍କରେ ଡା. ଶ୍ୱେତାଙ୍କ ଦାସ କହିଛନ୍ତି ଯେ ସମୟୋଚିତ ଚିହ୍ନଟ, ତୁରନ୍ତ ଚିକିତ୍ସା ଏବଂ ସମଗ୍ର ଟିମ୍‌ର ସମନ୍ୱିତ ପ୍ରୟାସ ଯୋଗୁଁ ଏହା ସମ୍ଭବ ହୋଇପାରିଛି। ହାଇ-ଟେକ୍ ମେଡିକାଲ କଲେଜ୍ ଓ ହସ୍ପିଟାଲର ଚେୟାରମ୍ୟାନ୍ ଡା. ତିରୁପତି ପାଣିଗ୍ରାହୀ ଏହି ଜୀବନରକ୍ଷାକାରୀ ଅସ୍ତ୍ରୋପଚାର ପାଇଁ ସମଗ୍ର ଡାକ୍ତରୀ ଦଳକୁ ଅଭିନନ୍ଦନ ଜଣାଇ ସେମାନଙ୍କର ସେବା ଓ ସମର୍ପଣ ଭାବନାକୁ ପ୍ରଶଂସା କରିଛନ୍ତି। ଏହି ଘଟଣା ଜଟିଳ ହୃଦ୍‌ରୋଗଜନିତ ଜରୁରୀକାଳୀନ ଅବସ୍ଥାର ମୁକାବିଲା କରିବାରେ ଅନୁଷ୍ଠାନର ଉତ୍କର୍ଷ ଏବଂ ରୋଗୀକେନ୍ଦ୍ରିକ ସେବା ପ୍ରତି ଥିବା ପ୍ରତିବଦ୍ଧତାକୁ ପୁନଃ ପ୍ରମାଣିତ କରିଛି।

Leave A Reply

Your email address will not be published.