ଆଜି ବିଧାନସଭା ଘେରିବ କଂଗ୍ରେସ

0

ରାଜ୍ୟରେ ମହିଳା ଅସୁରକ୍ଷିତ ଏବଂ ଏଥିଲାଗି ଗୃହକମିଟି ଦାବି କରି କଂଗ୍ରେସର ୧୪ ସଦସ୍ୟ ନିଲମ୍ବନ ହେବା ଘଟଣାରେ ରାଜ୍ୟ କଂଗ୍ରେସ ତୀବ୍ର ପ୍ରତିକ୍ରିୟାଶୀଳ ହୋଇପଡ଼ିଛି। ଏହି ଘଟଣାକୁ ଗାଁ ଗଣ୍ଡାରେ ପହଞ୍ଚାଇବା ପାଇଁ ପ୍ରସ୍ତୁତ ହୋଇଛି ନକ୍ସା। ଆଉ ଗୁରୁବାର ରାଜ୍ୟ କଂଗ୍ରେସ ବିଧାନସଭାର ଚତୁଃପାର୍ଶ୍ୱକୁ ଘେରିବାପାଇଁ ପ୍ରସ୍ତୁତ ହେଉଛି। କଂଗ୍ରେସର ଏହି କାର୍ଯ୍ୟକ୍ରମକୁ ରାଜ୍ୟବାସୀ ସମର୍ଥନ ଦେବେ ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି।

କଂଗ୍ରେସ ଭବନଠାରେ ବୁଧବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଭକ୍ତ କହିଛନ୍ତି, ମହିଳାଙ୍କୁ ସୁରକ୍ଷା ଦେବ କହି କ୍ଷମତାସୀନ ହେବା ପରେ ଭାଜପା ତା’ର ମୂଳ ଲକ୍ଷ୍ୟରୁ ଦୂରେଇ ଯାଇଛି। କଂଗ୍ରେସ ସବୁବେଳେ ଲୋକଙ୍କ ପାଇଁ ସ୍ବର ଉଠାଇ ଆସିଛି। ହେଲେ ଏବେ ମହିଳାଙ୍କ ପ୍ରସଙ୍ଗରେ ସ୍ବର ଉଠାଇବାରୁ ସରକାର ପ୍ରତିକ୍ରିୟାଶୀଳ ହୋଇ ପଡିଛନ୍ତି। ଅଗଣତାନ୍ତ୍ରିକ ଉପାୟରେ ବିରୋଧୀଙ୍କ ସ୍ବରକୁ ଚାପିବା ପାଇଁ ଉଦ୍ୟମ କରୁଛନ୍ତି। ସରକାର ଯେଉଁ ଗୁଣ୍ଡାରାଜ୍‌ ଚଳାଇଛନ୍ତି ତା’ର ଦୃଢ଼ ଜବାବ ଦିଆଯିବ ବୋଲି ଭକ୍ତ କହିଛନ୍ତି। ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର କହିଛନ୍ତି, ମଙ୍ଗଳବାର ସଦସ୍ୟଙ୍କୁ ନିଲମ୍ବନ ପରେ ଆମେ ୫ଜଣ ପୂର୍ବତନ ସଦସ୍ୟ ଆଇନ ଅନୁସାରେ ବିଧାନସଭା ଭିତରକୁ ଯିବାକୁ ଉଦ୍ୟମ କରିଥିଲୁ। କିନ୍ତ ସେଠାରେ ଏକପ୍ରକାର ଆଶ୍ଚର୍ଯ୍ୟକର ପରିସ୍ଥିତି ଦେଖିବାକୁ ମିଳିଥିଲା। ଯେଉଁମାନେ ବିଧାନସଭା ଭିତରକୁ ଯିବାକୁ ଯୋଗ୍ୟ ସେମାନଙ୍କୁ ଫାଟକ ବାହାରେ ଅଟକ ରଖାଗଲା, ହେଲେ ଯେଉଁ ପୋଲିସ ଫାଟକ ବାହାରେ ରହିବା କଥା ସେମାନେ ଭିତରେ ପତିଆରା ଦେଖାଇଥିଲେ। ଏହା ସମ୍ପୂର୍ଣ୍ଣ ଅଗଣତାନ୍ତ୍ରିକ ଓ ଅସାମ୍ବିଧାନିକ। ସେହିପରି ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା କହିଛନ୍ତି, ମୁଖ୍ୟମନ୍ତ୍ରୀ ନାରୀ ନିର୍ଯାତନା ପ୍ରସଙ୍ଗରେ ବିବୃତି ଦେଲେନାହିଁ। ନଭେମ୍ବର ଠାରୁ ରାଜ୍ୟରେ ମହିଳା କମିଶନ ଗଠନ ହୋଇନାହିଁ। ଆମର ୧୪ଜଣ ବିଧାୟକଙ୍କୁ ନିଲମ୍ବନ କରାଗଲା। ପୂର୍ବତନ ବରିଷ୍ଠ ବିଧାୟକଙ୍କୁ ବିଧାନସଭା ଭିତରକୁ ଯିବା ଲାଗି ଅନୁମତି ଦିଆଗଲାନାହଁ। ସରକାରଙ୍କ ଏହି ଅଗଣତାନ୍ତ୍ରିକ ଶାସନକୁ ନିନ୍ଦା କରୁଛି ବୋଲି ଶ୍ରୀକାନ୍ତ କହିଛନ୍ତି। ଖବରଦାତା ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ବରିଷ୍ଠନେତା ଶରତ କୁମାର ରାଉତ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.