ନବୀନ ଓ ପାଣ୍ଡିଆନ୍‌ଙ୍କୁ କୋର୍ଟ ନୋଟିସ୍

0

ଭୁବନେଶ୍ବର: ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତତ୍କାଳୀନ ୫-ଟି ସଚିବ ଭି.କେ ପାଣ୍ଡିଆନ୍‌ଙ୍କ ପାଇଁ ଆଇନଗତ ଅଡ଼ୁଆ ବଢ଼ିଛି। ରାଜ୍ୟର ବିଭିନ୍ନ ସ୍ଥାନକୁ ପାଣ୍ଡିଆନ୍‌ଙ୍କ ବାରମ୍ବାର ହେଲିକପ୍ଟର ଗସ୍ତ ଏବଂ ଏ ବାବଦରେ ହୋଇଥିବା ଖର୍ଚ୍ଚକୁ ନେଇ ଦାଏର ରିଭିଜନ୍ ପିଟିସନ୍‌କୁ ବିଚାର ପାଇଁ ଖୋରଧା ଜିଲା ଦୌରାଜଜ୍ ଗ୍ରହଣ କରିଛନ୍ତି। ଏହି ମାମଲାରେ ଅଦାଲତ ଉଭୟ ନବୀନ ଓ ପାଣ୍ଡିଆନ୍‌ଙ୍କୁ ନୋଟିସ୍‌ ଜାରି କରିବା ସହ ଆସନ୍ତା ୧୫ ତାରିଖ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ନିର୍ଦେଶ ଦେଇଛନ୍ତି।ସୂଚନା ଅନୁଯାୟୀ, ଆଇନଜୀବୀ ସୁଧୀର ଚରଣ ମହାନ୍ତି ଭୁବନେଶ୍ୱର ଏସ୍‌ଡିଜେଏମ୍ କୋର୍ଟଙ୍କ ପୂର୍ବ ଆଦେଶକୁ ଚ୍ୟାଲେଞ୍ଜ କରି ବରିଷ୍ଠ ଓକିଲ ମନୋଜ ନାୟକଙ୍କ ମାଧ୍ୟମରେ ଜିଲା ଦୌରାଜଜ୍‌ଙ୍କ ନିକଟରେ ଏହି ରିଭିଜନ୍ ପିଟିସନ୍ ଦାଏର କରିଥିଲେ। କୋର୍ଟ ମାମଲାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଏହାକୁ ଆଗକୁ ବଢ଼ାଇବା ନିମନ୍ତେ ଅନୁମତି ଦେଇଛନ୍ତି।

ଅଦାଲତ ଉକ୍ତ ରିଭିଜନ୍ ପିଟିସନକୁ ଗ୍ରହଣ କରି ପ୍ରତିପକ୍ଷଙ୍କୁ ନୋଟିସ୍ ଜାରି କରିଛନ୍ତି। ଜୁଲାଇ ୧୫ ସୁଦ୍ଧା ସେମାନଙ୍କୁ ଜବାବ ଦେବାକୁ କୁହାଯାଇଛି। ଆବେଦନକାରୀ ଶ୍ରୀ ମହାନ୍ତିଙ୍କ ଅଭିଯୋଗପତ୍ରକୁ ଆଧାର କରି ସମସ୍ତ ଆଇନଗତ ପ୍ରକ୍ରିୟା ଆରମ୍ଭ ହୋଇଛି।ଶ୍ରୀ ମହାନ୍ତି ୨୦୨୪ ଅଗଷ୍ଟ ୧୪ରେ କ୍ୟାପିଟାଲ ଥାନାରେ ନବୀନ ଓ ପାଣ୍ଡିଆନ୍‌ଙ୍କ ବିରୋଧରେ ଅଭିଯୋଗ କରିଥିଲେ। ପୁଲିସ ତାଙ୍କ ଅଭିଯୋଗକୁ ରଖିଥିଲେ ମଧ୍ୟ ମାମଲା କରିନଥିଲା। ପରେ ସେ ଭୁବନେଶ୍ୱର ଏସ୍‌ଡିଜେଏମ୍ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ମାତ୍ର କୋର୍ଟ ଏହି ମାମଲାରେ ତଦନ୍ତ ନିର୍ଦେଶ ଦେବା ପୂର୍ବରୁ ସକ୍ଷମ କର୍ତ୍ତୃପକ୍ଷ (ରାଜ୍ୟପାଳ)ଙ୍କଠାରୁ ପ୍ରସିକ୍ୟୁସନ୍ ସାଙ୍କସନ୍ ବା ମାମଲା ଚଲାଇବା ପାଇଁ ଅନୁମତି ଜରୁରୀ ବୋଲି କହିଥିଲେ। କିନ୍ତୁ ଉପଯୁକ୍ତ କର୍ତ୍ତୃପକ୍ଷଙ୍କଠୁ ଅନୁମତି ଆଣିବାରେ ଆବେଦନକାରୀ ବିଫଳ ହେବାରୁ ଏସ୍‌ଡିଜେଏମ୍ କୋର୍ଟ ମାମଲାକୁ ଖାରଜ କରିଦେଇଥିଲେ। ତଳ କୋର୍ଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଜିଲା ଦୌରାଜଜ୍‌ଙ୍କ କୋର୍ଟରେ ଆବଶ୍ୟକ ତଥ୍ୟ ପ୍ରମାଣ ସହ ସେ ରିଭିଜନ୍ ପିଟିସନ୍ ଦାଖଲ କରିଥିଲେ।

ଉଲ୍ଲେଖଯୋଗ୍ୟ, ନବୀନ ଓ ପାଣ୍ଡିଆନ୍‌ଙ୍କ ବିରୋଧରେ ମାମଲା ଚଳାଇବା ପାଇଁ ଅନୁମତି ଦେବା ନିମନ୍ତେ ଶ୍ରୀ ମହାନ୍ତି ରାଜ୍ୟପାଳଙ୍କ ନିକଟରେ ଆବେଦନ କରିଥିଲେ। ତାଙ୍କ ଆବେଦନକୁ ଆଧାର କରି ରାଜ୍ୟପାଳଙ୍କ ଅଫିସ୍ ପକ୍ଷରୁ ଆଇନ ବିଭାଗର ମତାମତ ଲୋଡ଼ାଯାଇଥିଲା। ଆଇନ ବିଭାଗ ନୋଟସିଟ୍ ପଠାଇ ଆବେଦନକାରୀ ପର୍ଯ୍ୟାପ୍ତ ପ୍ରମାଣ ଦେଇନଥିବାରୁ ନବୀନଙ୍କ ବିରୋଧରେ ପ୍ରସିକ୍ୟୁସନ୍ ସାଙ୍କସନ୍ କରିବା ଉଚିତ ନୁହେଁ ବୋଲି ଦର୍ଶାଇଥିଲା।

Leave A Reply

Your email address will not be published.