ନୂଆଦିଲ୍ଲୀ (ଆମ ଟିଭି): ଇଡି ଆକ୍ସନକୁ ନେଇ ଏବେ ସବୁଠି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଇଡି କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ କାମ କରୁଛି ବୋଲି ବିରୋଧୀ ଅଭିଯୋଗ କରୁଛନ୍ତି । ହେଲେ ଏହି ଅଭିଯୋଗକୁ ଏବେ ଖଣ୍ଡନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ନିର୍ମଳା ସୀତାରମଣ କହିଛନ୍ତି, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ରାଜନୈତିକ ହାତ-ବରିସି ନୁହେଁ। ଇଡି ସମ୍ପୂର୍ଣ୍ଣ ସ୍ୱାଧୀନତା ଭିତରେ ରହି କାର୍ୟ୍ୟ କରୁଛି। ଏପର୍ୟ୍ୟନ୍ତ ଯେଉଁସବୁ ପଦକ୍ଷେପ ନେଇଛି ସମ୍ପୂର୍ଣ୍ଣ ସ୍ୱାଧିନତାର ସହ ନେଇଛି। ଦୁଇ ଦିନିଆ ଆମେରିକା ଗସ୍ତରେ ଯାଇଥିବା ସୀତାରମଣ ୱାଶିଂଟନ ଡିସିରେ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ଏପରି କହିଛନ୍ତି।
ଅର୍ଥମନ୍ତ୍ରୀ କହିଛନ୍ତି ଯେ ଇଡି ଯାହା କରିଛି ସମ୍ପୂର୍ଣ୍ଣ ସ୍ୱାଧୀନତାର ସହ କରିଛି। ଏହା ଏମିତି ଏକ ଏଜେନ୍ସି ଯାହା ଅପରାଧିକ କାର୍ୟ୍ୟକଳାପର ପୂର୍ବ ସୂଚନା ଅନୁସାରେ କାର୍ୟ୍ୟାନୁଷ୍ଠାନ ନିଏ। ଏପରି କିଛି ଉଦାହରଣ ରହିଛି ଯାହାକୁ ଆଲୋଚନା ଭିତରେ ରହିଛି। କିଛି ନା କିଛି ପ୍ରମାଣ ପାଇଥିବାରୁ ‘ଇଡି’ ବିଭିନ୍ନ ସ୍ଥାନରେ ଚଢ଼ଉ କରୁଛି ବୋଲି ସୀତାରମଣ କହିଛନ୍ତି।