ଭୁବନେଶ୍ୱର : ନନ୍ଦନକାନନରେ ୫ ଓରାଙ୍ଗଉଟାନ୍ ଙ୍କ ସ୍ୱାସ୍ଥ୍ୟ ଯାଞ୍ଚ । ବାଲେଶ୍ୱର ଜିଲ୍ଲାରୁ ଉଦ୍ଧାର ହୋଇ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ରହିଥିବା ୫ଟି ଶିଶୁ ଓରାଙ୍ଗଉଟାନ୍ ଙ୍କ ସ୍ୱାସ୍ଥ୍ୟର ପୁଙ୍ଖାନୁପୁଙ୍ଖ ଯାଞ୍ଚ କରାଯାଇଛି । ବନ୍ୟପ୍ରାଣୀ ଓ ପ୍ରାଣୀ ଚିକିତ୍ସା ବିଶେଷଜ୍ଞମାନେ ସେମାନଙ୍କ ସ୍ୱାସ୍ଥ୍ୟ, ଖାଦ୍ୟ ଗ୍ରହଣ ଓ ଶାରୀରିକ ଗତିବିଧି ଅନୁଧ୍ୟାନ କରିଛନ୍ତି । ବର୍ତ୍ତମାନ ସମସ୍ତ ୫ଟି ଓରାଙ୍ଗଉଟାନ୍ ଙ୍କ ସ୍ୱାସ୍ଥ୍ୟ ସ୍ଥିର ରହିଛି। କିଛିଦିନ ତଳେ ଏମାନଙ୍କ ମଧ୍ୟରୁ ଗୋଟିଏ ଓରାଙ୍ଗଉଟାନ୍ କୁ ଜ୍ୱର ହୋଇଥିଲା । ଏହାପରେ ସମସ୍ତଙ୍କ ସ୍ୱାସ୍ଥ୍ୟ ଉପରେ ନଜର ଆହୁରି କଡ଼ାକଡ଼ି କରାଯାଇଥିଲା । ତେବେ ଜ୍ୱରରେ ପୀଡ଼ିତ ଓରାଙ୍ଗଉଟାନ୍ ର ସ୍ୱାସ୍ଥ୍ୟ ଏବେ ସ୍ଥିର ରହିଛି । ସମସ୍ତେ ସ୍ୱାଭାବିକ ଭାବେ ଖାଦ୍ୟ ଖାଉଛନ୍ତି ଏବଂ ପୂର୍ବ ଅପେକ୍ଷା ସେମାନଙ୍କ ଚଳପ୍ରଚଳ ଓ ସକ୍ରିୟତା ବଢ଼ିଛି । ସ୍ୱାସ୍ଥ୍ୟ ପରୀକ୍ଷା ବେଳେ ସେମାନଙ୍କ ଶରୀରର ତାପମାତ୍ରା ୯୮ରୁ ୯୯ ଡିଗ୍ରୀ ଫାରେନ୍ ହାଇଟ୍ ମଧ୍ୟରେ ଥିବା ଜଣାପଡ଼ିଛି । ଓରାଙ୍ଗଉଟାନ୍ ଙ୍କ ଚିକିତ୍ସା, ଯତ୍ନ ଓ ଦୀର୍ଘମିଆଦୀ ପରିଚାଳନା ପାଇଁ ଓଡ଼ିଶା ସରକାର ଏକ ୫ ଜଣିଆ ବୈଷୟିକ କମିଟି ଗଠନ କରିଛନ୍ତି ।
ଏଥିରେ ମହୀଶୂରର Sri Chamarajendra Zoological Gardens, ଡେରାଡୁନ୍ ର Wildlife Institute of India, ଭୁବନେଶ୍ୱର OUATର Centre for Wildlife Health, ଦିଲ୍ଲୀର National Zoological Parkର ବିଶେଷଜ୍ଞ ବା ପ୍ରତିନିଧିଙ୍କ ସହ ନନ୍ଦନକାନନର ନିର୍ଦ୍ଦେଶକ ରହିଛନ୍ତି।ପ୍ରାରମ୍ଭିକ ଭାବେ ଏହି କମିଟିର କାର୍ଯ୍ୟକାଳ ୬ ମାସ ରହିବ । ଆବଶ୍ୟକ ପଡ଼ିଲେ ଦେଶ ଓ ବିଦେଶର ଅନ୍ୟ ବିଶେଷଜ୍ଞଙ୍କ ପରାମର୍ଶ ମଧ୍ୟ ନିଆଯାଇପାରିବ। ନନ୍ଦନକାନନର କ୍ୱାରେଣ୍ଟାଇନ୍ ରେ ରହିଥିବା ଏହି ଶିଶୁ ଓରାଙ୍ଗଉଟାନ୍ ଗୁଡ଼ିକ ଏବେ ପ୍ରାଣୀ ଚିକିତ୍ସକ ଓ ସ୍ୱତନ୍ତ୍ର କିପର୍ ଙ୍କ ୨୪ ଘଣ୍ଟିଆ ନଜରରେ ଅଛନ୍ତି । ନିୟମିତ ବ୍ୟବଧାନରେ ସେମାନଙ୍କୁ କ୍ଷୀର, ଫଳ ଓ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଅନ୍ୟ ଖାଦ୍ୟ ଦିଆଯାଉଛି । ନୂଆ ପରିବେଶରେ ସେମାନଙ୍କ ମାନସିକ ଚାପ କମାଇବା ଉପରେ ମଧ୍ୟ ବିଶେଷ ଧ୍ୟାନ ଦିଆଯାଉଛି । ଖେଳିବା ପାଇଁ ସଫ୍ଟ ଟୟ, ଦୋଳି ସହ ସଙ୍ଗୀତର ବ୍ୟବସ୍ଥା କରାଯାଇଛି । ଯାତ୍ରାଜନିତ କ୍ଲାନ୍ତି, ମାନସିକ ଚାପ ଏବଂ ନୂଆ ପରିବେଶ ସହ ଖାପ ଖୁଆଇବା କାରଣରୁ ଗୋଟିଏ ଓରାଙ୍ଗଉଟାନ୍ କୁ ଜ୍ୱର ହୋଇଥାଇପାରେ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି ।
ସେପ୍ଟେମ୍ବର ୮ରେ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍ ର ବିଚିତ୍ରପୁର ଜଙ୍ଗଲରୁ ଏହି ୫ଟି ଓରାଙ୍ଗଉଟାନ୍ କୁ ଉଦ୍ଧାର କରାଯାଇଥିଲା । ପରେ ସେମାନଙ୍କୁ ନନ୍ଦନକାନନ ଅଣାଯାଇ କ୍ୱାରେଣ୍ଟାଇନରେ ରଖାଯାଇଛି । ଓରାଙ୍ଗଉଟାନ୍ ଭାରତର ସ୍ୱାଭାବିକ ବନ୍ୟପ୍ରାଣୀ ନୁହେଁ । ତେଣୁ ଏହି ୫ଟି ଓରାଙ୍ଗଉଟାନ୍ ବାଲେଶ୍ୱର ଜଙ୍ଗଲରେ କିପରି ପହଞ୍ଚିଲେ, ତାହାକୁ ନେଇ ତଦନ୍ତ ଚାଲିଛି । ଏହା ପଛରେ କୌଣସି ଅନ୍ତର୍ଜାତୀୟ ବନ୍ୟପ୍ରାଣୀ ଚୋରାଚାଲାଣ ନେଟ୍ ୱର୍କର ସମ୍ପୃକ୍ତି ରହିଛି କି ନାହିଁ, ସେ ଦିଗରେ ଓଡ଼ିଶା ପୋଲିସ STF ଓ Wildlife Crime Control Bureau ଖୋଳତାଡ଼ କରୁଛନ୍ତି ।