ସମ୍ବଲପୁର: ସମ୍ବଲପୁରରେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ । ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ କରି ଦୁର୍ବୃତ୍ତମାନେ ଫେରାର ହୋଇଯାଇଛନ୍ତି । ଗୁରୁତର ଯୁବକ ବିକି ରଏ । ସଙ୍କାଟପର୍ଣ୍ଣ ଅବସ୍ଥାରେ ଉଦ୍ଧାର କରାଯାଇ ତାଙ୍କୁ ଭୀମସାରରେ ଭର୍ତ୍ତି କରାଯାଇଛି । ଖବର ପାଇ ବୁର୍ଲା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତଙ୍କୁ ଧରିବା ପାଇଁ ସହରର ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି । ଘଟଣା ଦିନ ଦୁଇ ଗୋଷ୍ଠୀ ମଧ୍ୟରେ କୌଣସି କାରଣକୁ ନେଇ ବଚସା ହୋଇଥିଲା । ଉଭୟ ପକ୍ଷ ନିଶାସକ୍ତ ଅବସ୍ଥାରେ ଥିବା ବେଳେ ଏହା ଏକ ଭୟଙ୍କର ରୂପ ନେଇଥିଲା, ଯେଉଁଥିରେ ବିକିଙ୍କୁ ଛୁରାମାଡ଼ କରାଯାଇଛି ।
ପୋଲିସ ଏହି ଘଟଣାରେ ମାମଲା ରୁଜୁ କରିବା ସହ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିସାରିଛି । ଖୁବଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ଏସପି କହିଛନ୍ତି । ପୂର୍ବ ଶତ୍ରୁତା ଓ ନିଶା କାରବାରକୁ ନେଇ ଏହି ଆକ୍ରମଣ ହୋଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଅନୁମାନ କରୁଛି । ଆହତ ଯୁବକ ବିକିଙ୍କ ନାଁରେ ହତ୍ୟା, ବଟି ଅସୁଲି, ମାଡପିଟ ଭଳି ଏକାଧିକ ସଙ୍ଗୀନ ଅପରାଧିକ ମାମଲା ରହିଥିବା ପୋଲିସ କହିଛି ।