ତାମିଲନାଡୁ ପ୍ରବାସୀଙ୍କୁ ଭୟ ନକରିବାକୁ ପରାମର୍ଶ ଦେଲେ ରାଜ୍ୟପାଳ
ଚେନ୍ନାଇ: ତାମିଲନାଡୁରେ ପ୍ରବାସୀ ଶ୍ରମିକଙ୍କ ଉପରେ ମାରାତ୍ମକ ଆକ୍ରମଣ ହେଉଛି ବୋଲି କେତେକ ଯାଞ୍ଚ ନ ହୋଇଥିବା ରିପୋର୍ଟ ପ୍ରକାଶ ପାଇଥିବା ବେଳେ ରାଜ୍ୟପାଳ ଆର୍. ଏନ୍. ରବି ରାଜ୍ୟରେ ଥିବା ପ୍ରବାସୀ ଶ୍ରମିକମାନଙ୍କୁ ଭୟଭୀତ ନ ହେବାକୁ କହିଛନ୍ତି।
ତାମିଲ୍, ଇଂରାଜୀ ଓ ହିନ୍ଦୀ ଭାଷାରେ ଟୁଇଟ୍ ପୋଷ୍ଟ୍ କରି ଆଜି ରାଜଭବନ କହିଛି: ତାମିଲନାଡୁର ଜନସାଧାରଣ ଅତ୍ୟନ୍ତ ଭଲ ଓ ବନ୍ଧୁବତ୍ସଳ ହୋଇଥିବାରୁ ରାଜ୍ୟରେ ଥିବା ଉତ୍ତର ଭାରତୀୟ ଶ୍ରମିକମାନେ ଭୟ ବା ଅସୁରକ୍ଷିତ ନ ମଣିବାକୁ ରାଜ୍ୟପାଳ ଅନୁରୋଧ କରିଛନ୍ତି। ସେମାନଙ୍କୁ ନିରାପତ୍ତା ଯୋଗାଇ ଦେବାକୁ ରାଜ୍ୟ ସରକାର ପ୍ରତିବଦ୍ଧ ବୋଲି ସେ କହିଛନ୍ତି।
ଶନିବାର ଦିନ ମୁଖ୍ୟମନ୍ତ୍ରୀ ଏମ୍. କେ. ଷ୍ଟାଲିନ୍ ମଧ୍ୟ ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ କହିଥିଲେ ଯେ, ରାଜ୍ୟରେ ଥିବା ସମସ୍ତ ପ୍ରବାସୀ ଶ୍ରମିକ ନିରାପଦ ଅଛନ୍ତି। ଗୁଜବ ପ୍ରସାରଣ କରିଥିବା ଗୋଟାଏ ହିନ୍ଦୀ ଦୈନିକ ସମ୍ବାଦପତ୍ରର ୨ଜଣ ସାମ୍ବାଦିକଙ୍କ ନାମରେ ପୁଲିସ ମାମଲା ରୁଜୁ କରିଛି।।