ଭୁବନେଶ୍ୱର (ଆମ ଟିଭି): ଦୁର୍ଗାପୂଜା ପାଇଁ ସବୁଠି ଚଳଚଞ୍ଚଳ । ମା’ଙ୍କୁ ଆଗମନ ପାଇଁ ସବୁ ପୂଜା ମଣ୍ଡପରେ ପ୍ରସ୍ତୁତି ଜୋରସୋରରେ ଚାଲିଛି । କରୋନା ଯୋଗୁ ଦୁଇ ବର୍ଷ ଧରି ପୂଜା କଟକଣା ମଧ୍ୟରେ ହୋଇଥିବା ବେଳେ ଚଳିତ ବର୍ଷ ଏହାକୁ ଧୂମ୍ଧାମ୍ରେ କରିବାକୁ ସମସ୍ତେ ଲାଗିପଡ଼ିଛନ୍ତି। ତେବେ ତା’ ଭିତରେ ଆଜି କମିଶନରେଟ୍ ପୁଲିସ୍ ପକ୍ଷରୁ ପୂଜା ପାଇଁ ସାଉଣ୍ଡ, ଡିଜେ, ଲାଇଟ୍ ଓ ଭସାଣ ଶୋଭାଯାତ୍ରା ନେଇ କିଛି କଟକଣା ଜାରି କରିଛି। ଏହି କଟକଣାଗୁଡ଼ିକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ଡିସିପି ପୂଜା କମିଟି, ବ୍ୟାଣ୍ଡ/ଡିଜେ ଏବଂ ମ୍ୟୁଜିକ୍ ପାର୍ଟି ଗୁଡ଼ିକୁ ତାଗିଦ କରିଛନ୍ତି।
ପୂଜା ମଣ୍ଡପରେ ଓ ଭସାଣ ସମୟରେ ଶବ୍ଦ ପ୍ରଦୂଷଣ ପ୍ରତି ସଚେତନ ରହିବାକୁ କମିଶନରେଟ୍ ପୁଲିସ୍ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ପୂଜା ମଣ୍ଡପରେ ଓ ଭସାଣ ଶୋଭାଯାତ୍ରାରେ ବ୍ୟବହାର ହେବାକୁ ଥିବା ସାଉଣ୍ଡ ବକ୍ସ ଗୁଡ଼ିକରୁ ବାହାରିବାକୁ ଥିବା ଶବ୍ଦର ତୀବ୍ରତା ୬୫ ଡେସିବିଲ୍ ଟପିବନି ନାହିଁ ବୋଲି ସ୍ପଷ୍ଟ ଭାବେ କୁହାଯାଇଛି। ଭସାଣି ସମୟରେ ପ୍ରତି ପୂଜା ମଣ୍ଡପକୁ କେବଳ ଗୋଟିଏ ଲେଖାଏଁ ବ୍ୟାଣ୍ଡ ଓ ମ୍ୟୁଜିକ ପାର୍ଟି ବ୍ୟବହାର କରିବାକୁ ଅନୁମତି ଦିଆଯିବ। ୬ଟିରୁ ଅଧିକ ଟ୍ରଲି ବ୍ୟବହାର କରିପାରିବେନି। ମ୍ୟୁଜିକ ପାର୍ଟି ଗୁଡ଼ିକ ୪ରୁ ୫ଟି ସାଉଣ୍ଡ ବକ୍ସ ବ୍ୟବହାର କରିବେ। ସାଉଣ୍ଡ ଲିମିଟର ନଥିବା ଅଡିଓ ସିଷ୍ଟମକୁ ଅନୁମତି ମିଳିବ ନାହିଁ।
ଯେଉଁ ବ୍ୟାଣ୍ଡ/ଡିଜେ ଓ ମ୍ୟୁଜିକ୍ ପାର୍ଟି ଗୁଡ଼ିକ କେବଳ ଭୁବନେଶ୍ୱର/କଟକ ଡିସିପିଙ୍କ ଅଧୀନରେ ପଞ୍ଜୀକୃତ ହୋଇଥିବେ କେବଳ ସେମାନଙ୍କୁ ଚଳିତ ବର୍ଷ ଦଶହରାରେ ଅନୁମତି ମିଳିବ। ଅନ୍ୟ କାହାର ଲାଇସେନ୍ସକୁ ବ୍ୟବହାର କରି କେହି ଗୀତ ବଜାଇ ପାରିବେ ନାହିଁ। ‘ସାଇଲେନ୍ସ ଜୋନ୍’ (ସ୍କୁଲ୍, କଲେଜ, ଡାକ୍ତରଖାନା ଓ କୋର୍ଟ ଇତ୍ୟାଦି)ର ୧୦୦ ମିଟର ପରିଧି ଭିତରେ ଗୀତ ବାଜି ପାରିବ ନାହିଁ। ଯେଉଁମାନେ ଏହି ନିୟମକୁ ଉଲଙ୍ଘନ କରିବେ, ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।