ଭୁବନେଶ୍ୱର : ପ୍ରଚଣ୍ଡ ତାତି ଓ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ । ତାତିରୁ ସତର୍କ ରହିବା ପାଇଁ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ପରାମର୍ଶ । ଆସନ୍ତା ଜୁନ ୨ତାରିଖ ପର୍ଯ୍ୟନ୍ତ ରହିବ ଗ୍ରୀଷ୍ମପ୍ରବାହ । ରାଜ୍ୟରେ ଗ୍ରୀଷ୍ମପ୍ରବାହକୁ ନେଇ ସତର୍କତା ଗାଇଡ ଲାଇନ ଜାରି କରାଯାଇଥିବା କହିଛନ୍ତି ମନ୍ତ୍ରୀ । କୌଣସି କାମ ନଥିଲେ ଘରୁ ବହାରନ୍ତୁ ନାହିଁ । ଯଦି କୌଣସି କାର୍ଯ୍ୟରେ ଘରୁ ବାହାରିଛନ୍ତି, ତେବେ ସାଙ୍ଗରେ ପାଣି ବୋତଲ, ଛତା, ଜୋତା ନେଇ ବାହାରନ୍ତୁ । ଅନ୍ୟପକ୍ଷରେ ରାଜ୍ୟର ସମସ୍ତ ଏନ.ଏ.ସି. ଏବଂ ମୁନିସିପାଳିଟି ପକ୍ଷରୁ ସ୍ଥାନେ ସ୍ଥାନେ ପିଇବା ପାଣି ଵ୍ୟଵସ୍ଥା କରାଯାଇଛି । ଏଭଳି ସ୍ଥିତି ରାଜ୍ୟରେ ଜୁନ ୨ତାରିଖ ପର୍ଯ୍ୟନ୍ତ ଜାରି ରହିବ ବୋଲି ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ।
ସେପଟେ ଦିନ ସାଢ଼େ ୧୧ଟା ସୁଦ୍ଧା ଭୁବନେଶ୍ବର ତାପମାତ୍ରା ୩୭. ୨ ଡିଗ୍ରୀ ଛଇଁଛି । ୬୦ ପ୍ରତିଶତ ଆର୍ଦ୍ରତା ରହିଥିବାରୁ ଲାଗି ରହିଛି ଅସହ୍ୟ ଗୁଳୁଗୁଳି। ହିଟ ଇଣ୍ଡେକ୍ସ ରହିଛି ୫୨ ଡିଗ୍ରୀ । ରାଜ୍ୟରେ ଆହୁରି ୬ରୁ ୭ଦିନ ଏଭଳି ସ୍ଥିତି ଲାଗି ରହିବ। ଉପକୂଳରେ ଉଚ୍ଚ ତାପମାତ୍ରା ସହ ଉଚ୍ଚଆଦ୍ରତା ହେତୁ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି । ୨୪ ଘଣ୍ଟାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ପାଇଁ ଝାରସୁଗୁଡ଼ା, ସମ୍ବଲପୁର ଏବଂ ବଲାଙ୍ଗିରକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ନବରଙ୍ଗପୁର, କୋରାପୁଟ, ରାୟଗଡ଼ା ଏବଂ କନ୍ଧମାଳକୁ ଛାଡ଼ି ବାକି ସବୁ ଜିଲ୍ଲାକୁ ଗରମ ଓ ଗୁଳୁଗୁଳୁ ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି। ଅନ୍ୟପଟେ କାଳବୈଶାଖୀ ପାଇଁ ୧୬ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।