ହ୍ୱାଇଟ୍ ହାଉସ୍ ନିକଟରେ ଗୁଳିକାଣ୍ଡ, ସୁରକ୍ଷିତ ଅଛନ୍ତି ରାଷ୍ଟ୍ରପତି ଟ୍ରମ୍ପ

0

ନୂଆଦିଲ୍ଲୀ: ହ୍ୱାଇଟ୍ ହାଉସ୍ ନିକଟରେ ଗୁଳିକାଣ୍ଡ । ସୁରକ୍ଷିତ ଅଛନ୍ତି ରାଷ୍ଟ୍ରପତି ଟ୍ରମ୍ପ । ହ୍ୱାଇଟ୍ ହାଉସ୍ ସୁରକ୍ଷା ବଳୟ ନିକଟରେ ଏକ ସାଂଘାତିକ ଘଟଣା ଘଟିଯାଇଛି । ଜଣେ ସଶସ୍ତ୍ର ବନ୍ଧୁକଧାରୀ ହ୍ୱାଇଟ୍ ହାଉସ୍ ପରିସରକୁ ଗୁଳି ଚଳାଇବା ପରେ ଆମେରିକା ସିକ୍ରେଟ୍ ସର୍ଭିସ୍ ଏଜେଣ୍ଟମାନେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସନ୍ଦିଗ୍ଧକୁ ମାରି ପକାଇଛନ୍ତି । ଏହି ସମୟରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହ୍ୱାଇଟ୍ ହାଉସ୍ ଭିତରେ ଥିଲେ ଏବଂ ସେ ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା ସୂଚନା ମିଳିଛି ।  ସ୍ଥାନୀୟ ସମୟ ସନ୍ଧ୍ୟା ପ୍ରାୟ ୬ଟା ବେଳେ ହ୍ୱାଇଟ୍ ହାଉସ୍ ବାହାରେ ଥିବା 17th ଷ୍ଟ୍ରିଟ୍ ଏବଂ ପେନସିଲଭାନିଆ ଆଭେନ୍ୟୁ NW ନିକଟରେ ଏହି ଗୁଳିକାଣ୍ଡ ଘଟିଥିଲା । ଜଣେ ପୁରୁଷ ସନ୍ଦିଗ୍ଧ ସିକ୍ରେଟ୍ ସର୍ଭିସ୍ ର ପୋଷ୍ଟଗୁଡିକୁ ଲକ୍ଷ୍ୟ କରି ପ୍ରାୟ ତିନି ରାଉଣ୍ଡ ଗୁଳି ଚଳାଇଥିଲା। କିନ୍ତୁ ସେ ବାହ୍ୟ ସୁରକ୍ଷା ପ୍ରାଚୀର ଭାଙ୍ଗିବାରେ ବିଫଳ ହୋଇଥିଲା । ସୁରକ୍ଷାକର୍ମୀମାନେ ତୁରନ୍ତ ପାଲଟା ଗୁଳି ଚଳାଇବାରୁ ଘଟଣାସ୍ଥଳରେ ହିଁ ବନ୍ଧୁକଧାରୀର ମୃତ୍ୟୁ ହୋଇଥିଲା ।

ଏହି ଗୁଳି ବିନିମୟରେ ଜଣେ ସାଧାରଣ ନାଗରିକ ଆହତ ହୋଇଛନ୍ତି। କୌଣସି ସିକ୍ରେଟ୍ ସର୍ଭିସ୍ ଏଜେଣ୍ଟ ଆହତ ହୋଇନାହାନ୍ତି । ସୁରକ୍ଷା ଦୃଷ୍ଟିରୁ ହ୍ୱାଇଟ୍ ହାଉସକୁ କିଛି ସମୟ ପାଇଁ ଲକ୍ ଡାଉନ୍ କରାଯାଇଥିଲା, ଯାହା ପରବର୍ତ୍ତୀ ସମୟରେ ସ୍ଥିତି ନିୟନ୍ତ୍ରଣକୁ ଆସିବା ପରେ ହଟାଇ ଦିଆଯାଇଥିଲା ।  ଆମେରିକା ସିକ୍ରେଟ୍ ସର୍ଭିସ୍ ର ପ୍ରବକ୍ତା ସ୍ପଷ୍ଟ କରିଛନ୍ତି ଯେ, “ଘଟଣା ସମୟରେ ରାଷ୍ଟ୍ରପତି ଟ୍ରମ୍ପ ହ୍ୱାଇଟ୍ ହାଉସ୍ ରେ ଥିଲେ ମଧ୍ୟ ତାଙ୍କ ଉପରେ ଏହାର କୌଣସି ପ୍ରଭାବ ପଡ଼ିନାହିଁ । ଘଟଣା ପରେ ମଧ୍ୟ ରାଷ୍ଟ୍ରପତି ତାଙ୍କର ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଜାରି ରଖିଥିଲେ। ଏଜେଣ୍ଟ ଏବଂ ଅଧିକାରୀମାନେ ଏଭଳି ସ୍ଥିତିର ମୁକାବିଲା ପାଇଁ ସଦାସର୍ବଦା ପ୍ରସ୍ତୁତ ଥାଆନ୍ତି ।

ସେମାନଙ୍କର ତ୍ୱରିତ କାର୍ଯ୍ୟାନୁଷ୍ଠାନ ଯୋଗୁଁ କୌଣସି ବଡ଼ ଅଘଟଣ ଘଟିନାହିଁ ଏବଂ ରାଷ୍ଟ୍ରପତିଙ୍କ ସହ ସମ୍ପୂର୍ଣ୍ଣ ସୀମା ସୁରକ୍ଷିତ ରହିଛି । FBI ସମେତ ସମସ୍ତ ଆଇନ ଶୃଙ୍ଖଳା ରକ୍ଷାକାରୀ ସଂସ୍ଥା ବର୍ତ୍ତମାନ ଏହି ଘଟଣାର ତଦନ୍ତ କରୁଛନ୍ତି । ବନ୍ଧୁକଧାରୀର ପରିଚୟ ଏବଂ ଏହି ଆକ୍ରମଣ ପଛର ପ୍ରକୃତ ଉଦ୍ଦେଶ୍ୟ କ’ଣ ଥିଲା, ସରକାରୀ ଭାବେ କୌଣସି ସୂଚନା ପ୍ରକାଶ କରାଯାଇନାହିଁ । ଟ୍ରମ୍ପ ପ୍ରଶାସନ ପାଇଁ ଏହା ଏକ ବଡ଼ ସୁରକ୍ଷା ଆହ୍ୱାନ ଭାବେ ଦେଖାଦେଇଛି, କାରଣ ଗତ ଏପ୍ରିଲ ମାସରେ ‘ହ୍ୱାଇଟ୍ ହାଉସ୍ କରସପଣ୍ଡେଣ୍ଟସ୍ ଡିନର୍’ ସମୟରେ ମଧ୍ୟ ଗୁଳିକାଣ୍ଡର ଘଟଣା ସାମ୍ନାକୁ ଆସିଥିଲା ।

Leave A Reply

Your email address will not be published.