କେମିତି ୟୁକ୍ରେନ ଗଲେ ଆମେରିକା ରାଷ୍ଟ୍ରପତି ବାଇଡେନ
ନୂଆଦିଲ୍ଲୀ : ସମସ୍ତଙ୍କୁ ଚକିତ କରି ସୋମବାର ଯୁଦ୍ଧ କ୍ଷତିଗ୍ରସ୍ତ ୟୁକ୍ରେନର ରାଜଧାନୀ କିଭ୍ରେ ପହଞ୍ଚିଥିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ। ଦୁଇ ଦିନ ପରେ ୟୁକ୍ରେନ ଓ ରୁଷ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ବର୍ଷେ ପୂରିବ। ଏହାପୂର୍ବ ରାଷ୍ଟ୍ରପତି ବାଇଡେନ ଅତ୍ୟନ୍ତ ଗୁପ୍ତ ଭାବେ କିଭ୍ରେ ପହଞ୍ଚି ତାଙ୍କ ୟୁକ୍ରେନ ପ୍ରତିପକ୍ଷ ଭ୍ଲୋଦମିର ଜେଲେନସ୍କିଙ୍କ ସହ ଆଲୋଚନା କରିଛନ୍ତି। ଏଥିସହ ପ୍ରତିରକ୍ଷା ସହାୟତା କରିବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଛି।
ତେବେ ଆମେରିକା ଭଳି ଶକ୍ତିଶାଳୀ ରାଷ୍ଟ୍ରର ମୁଖ୍ୟ ବାଇଡେନ ୟୁକ୍ରେନ ଗସ୍ତ କରିଥିଲେ ମଧ୍ୟ କେମିତି କେହି ଆଗରୁ ଏକଥା ଜାଣିପାରିଲେ ନାହିଁ? କେମିତି ଛୋଟ ବିମାନ ଓ ଝରକା ବନ୍ଦ କରି ବାଇଡେନ କିଭ୍ରେ ଅତ୍ୟନ୍ତ ଗୁପ୍ତ ଭାବେ ପହଞ୍ଚିଲେ, ଏବେ ତା’ର ତଥ୍ୟ ସାମ୍ନାକୁ ଆସିଛି।
ପୂରା ମିଶିନ ୱାଶିଂଟନ ବାହାରେ ଥିବା ସାମରିକ ବିମାନବନ୍ଦର ହ୍ୟାଙ୍ଗରରୁ ବିଳମ୍ବିତ ରାତିରେ ଆରମ୍ଭ ହୋଇଥିଲା। ରବିବାର ଭୋର ୪ଟାରେ ବିଶ୍ୱ ମିଡିଆ, ଆମେରିକାର ରାଜନୀତିକ ବ୍ୟକ୍ତିବିଶେଷ ଓ ସାଧାରଣ ଲୋକଙ୍କୁ ନ ଜଣାଇ ଆରମ୍ଭ ହୋଇଥିବା ମିଶନ ୟୁକ୍ରେନ। ୮୦ ବର୍ଷୀୟ ବାଇଡେନ ବାୟୁସେନାର ବୋଇଂ 757ରେ ବସିଥିଲେ। ଏହା C-32 ଭାବେ ମଧ୍ୟ ଜଣାଶୁଣା।
ବିଦେଶ ଗସ୍ତରେ ଯିବା ବେଳେ ସାଧାରଣ ଭାବେ ଆମେରିକା ରାଷ୍ଟ୍ରପତି ସି-୩୨ର ବଡ଼ ବିମାନ ବ୍ୟବହାର କରନ୍ତି। ହେଲେ ତା’ଠାରୁ ଛୋଟ ବିମାନରେ ବାଇଡେନ ବସିଥିଲେ। ଏଥିରେ ଲାଗିଥିବା ଝରକାର ପରଦା ବନ୍ଦ କରି ଦିଆଯାଇଥିଲା। ୧୫ ମିନିଟ ପରେ ବାଇଡେନଙ୍କ ସହ ସାମିଲ ହୋଇଥିଲେ କିଛି ହାତ ଗଣତି ସୁରକ୍ଷାକର୍ମୀ, ଡାକ୍ତରୀ ଦଳ, ଘନିଷ୍ଠ ପରାମର୍ଶଦାତା ଓ ଦୁଇ ଜଣ ସାମ୍ବାଦିକ। ସେମାନେ ଗସ୍ତ ନ ସରିବା ଯାଏ କାହାକୁ କିଛି କହିବେ ନାହିଁ ବୋଲି ଶପଥ ନେବା ପରେ ବିମାନଟି ଯୁଦ୍ଧ କ୍ଷତିଗ୍ରସ୍ତ ୟୁକ୍ରେନ ଅଭିମୁଖେ ଉଡ଼ାଣ ଆରମ୍ଭ କରିଥିଲା।