ସୁଟିଂ ଫ୍ଲୋର ରେ ଓଡ଼ିଆ ଚଳଚ୍ଚିତ୍ର “ଫେସବୁକ ଲଭ”
ଭୁବନେଶ୍ୱର :ମୁନ ଟିଭି ମୁଭିଜ ଦ୍ୱାରା ପ୍ରସ୍ତୁତ ଓଡ଼ିଆ ଚଳଚ୍ଚିତ୍ର “ଫେସବୁକ ଲଭ” ର ସୁଟିଂ ଆରମ୍ଭ ହୋଇଯାଇଛି । ପ୍ରେମ କେମିତି ବି ହେଇପାରେ । ଏବେ ସୋସିଆଲ ମିଡ଼ିଆ ପ୍ରେମ ପାଇଁ ସହଜ ବାଟ ବୋଲି ପ୍ରାୟ ସମସ୍ତଙ୍କୁ ଜଣା । ଫେସବୁକ ମାଧ୍ୟମରେ ତ କିଏ ଇନଷ୍ଟାଗ୍ରାମ ମାଧ୍ୟମରେ ପ୍ରେମରେ ପଡୁଛି । ତେବେ କେତେ ଚିରସ୍ଥାୟୀ ଏ ଫେସବୁକ ଲଭ? ଏମିତି କିଛି ସୋସିଆଲ ମିଡ଼ିଆ ଘଟଣାବଳୀ କୁ ନେଇ ପ୍ରସ୍ତୁତ ହେଉଛି ଚଳଚ୍ଚିତ୍ର ଫେସବୁକ ଲଭ । ପୂର୍ବରୁ ଦର୍ଶକଙ୍କୁ ଏକାଧିକ ହିଟ୍ ସିନେମା ଦେଇଥିବା ପ୍ରଯୋଜକ ସଚ୍ଚିକାନ୍ତ ଜେନା ଏବଂ ବିନି ପଟ୍ଟନାୟକ ଙ୍କ ପ୍ରଯୋଜନା ରେ ‘ଫେସବୁକ ଲଭ’ ର ସୁଟିଂ ଦ୍ରୁତ ଗତିରେ ଆଗେଇ ଚାଲିଛି । ଚଳଚ୍ଚିତ୍ର ରେ ରହିଛି ସମୁଦାୟ ୫ ଟି ଗୀତ । ଯେଉଁ ଗୀତଗୁଡିକର ସ୍ୱର ସଙ୍ଗୀତ ନିର୍ଦ୍ଦେଶକ ମଳୟ ମିଶ୍ର କରିଛନ୍ତି ଏବଂ ଗୀତଗୁଡିକୁ କୋରିଓଗ୍ରାଫି କରୁଛନ୍ତି ଲୁବୁନ ଟୁବୁନ । ଚଳଚ୍ଚିତ୍ରର ନିର୍ଦ୍ଦେଶନା ଭାର ଯୁବ ନିର୍ଦ୍ଦେଶକ ଅଶ୍ୱିନୀ ଗଡ଼ନାୟକ ନେଇଛନ୍ତି ।
ଚଳଚ୍ଚିତ୍ରର ମୁଖ୍ୟ ଭୂମିକା ରେ ଅଭିନେତ୍ରୀ ମହିମା ଦାସ, ଦିବ୍ୟାଶ୍ରୀ,ଶୁଭାଙ୍ଗୀ ଏବଂ ଅଭିନେତା ଚନ୍ଦନ ରହିଛନ୍ତି ।ଚନ୍ଦନ ପୂର୍ବରୁ ଧାରାବାହିକ ଏବଂ କେତେଗୁଡିଏ ମ୍ୟୁଜିକ ଭିଡ଼ିଓ ରେ ଅଭିନୟ କରି ବେଶ ଲୋକପ୍ରିୟ ହୋଇଥିଲେ ତେବେ ଚଳଚ୍ଚିତ୍ର ‘ଫେସବୁକ ଲଭ’ ତାଙ୍କର ପ୍ରଥମ ମୁଭି ।
ଏହି ଚଳଚ୍ଚିତ୍ର ଥିବା ଆଇଟମ୍ ଗୀତ ର ସ୍ୱର ଯେମିତି ଦମଦାର କୋରିଓଗ୍ରାଫି ମଧ୍ୟ ସେମିତି ଜବରଦସ୍ତ । ପ୍ରଯୋଜକ ସଚ୍ଚିକାନ୍ତ ଜେନା ତାଙ୍କର ପ୍ରାୟ ସବୁ ସିନେମା ରେ ଆଇଟମ୍ ଗୀତ ଉପରେ ବହୁତ ଗୁରୁତ୍ୱ ଦେଇଥାନ୍ତି ପୂର୍ବରୁ ବଜରଙ୍ଗୀ ର ଆଇଟମ୍ ଗୀତ ହଳଦୀଗିନା ସବୁ ବର୍ଗର ଦର୍ଶକଙ୍କ ମନକୁ ଛୁଇଁ ସାରିଛି। । ପୂର୍ବରୁ ତାଙ୍କ ଚଳଚ୍ଚିତ୍ରର ଅନେକ ଆଇଟମ୍ ଗୀତ ଶ୍ରୋତା ମାନେ ଆଜି ବି ଗୁଣୁଗୁଣୁ ହୁଅନ୍ତି । ବାହାଘର ବରଯାତ୍ରୀ ଠୁ ନେଇ ମେଲୋଡି ମଞ୍ଚ ରେ ମଧ୍ୟ ଶୁଣିବାକୁ ମିଳେ ।
ପ୍ରଥମେ ଗୀତଗୁଡିକର ସୁଟିଂ ହେବ ତାପରେ ଡ୍ରାମା ଆଡକୁ ଯିବେ ବୋଲି ନିର୍ଦ୍ଦେଶକ ଅଶ୍ୱିନୀ ଗଡ଼ନାୟକ ପ୍ରକାଶ କରିଛନ୍ତି । ପ୍ରଚାର ପ୍ରସାର ଦାୟିତ୍ୱ ରେ ଥିବା ମିଡ଼ିଆ ପ୍ଲାନର କ୍ରି୍ଏଟିଭ ହେଡ଼ ପ୍ରଣୟ ଜେଠୀ ମତ ଦିଅନ୍ତି, ଏହି ‘ଫେସବୁକ ଲଭ’ ଚଳଚ୍ଚିତ୍ର ସମାଜ ତଥା ଯୁବପିଢ଼ି ଙ୍କ ପାଇଁ ସଚେତନତା ବାର୍ତ୍ତା ଦେବ ।