ମୋଦିଙ୍କ ଆଗରେ ଏହି ସବୁ ଦାବି ରଖିଲେ ନବୀନ
ଭୁବନେଶ୍ୱର :ଓଡ଼ିଶାରେ ଆଉ ୨ଟି ‘ବନ୍ଦେ ଭାରତ ଏକ୍ସପ୍ରେସ୍’ ଚଲାଇବା ପାଇଁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ପୁରୀ-ହାୱଡା ‘ବନ୍ଦେ ଭାରତ ଏକ୍ସପ୍ରେସ୍’ର ଲୋକାର୍ପଣ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କ ପାଖରେ ଏହି ଦାବି କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀରୁ ଭର୍ଚୁଆଲ ମୋଡରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ପୁରୀ-ହାୱଡା ‘ବନ୍ଦେ ଭାରତ ଏକ୍ସପ୍ରେସ୍’ର ଶୁଭାରମ୍ଭ କରିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଭୁବନେଶ୍ୱରରୁ ଭିସି ମାଧ୍ୟମରେ ଏଥିରେ ଯୋଡ଼ି ହୋଇଥିଲେ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପୁରୀ-ରାଉରକେଲା ଓ ଭୁବନେଶ୍ୱର-ହାଇଦ୍ରାବାଦ ମଧ୍ୟରେ ଦୁଇଟି ବନ୍ଦେ ଭାରତ ଏକ୍ସପ୍ରେସ ଚାଲୁ କରାଯାଉ। ସେହିପରି ଅନୁଗୋଳ-ସୁକିନ୍ଦା ଓ ପାରାଦୀପ-ହରିଦାସପୁର ଲାଇନରେ ପାସେଞ୍ଜର ଟ୍ରେନ୍ ଚାଲୁ କରାଯାଉ ବୋଲି ସେ ଦାବି କରିଥିଲେ। ଏହା ସହିତ ପୁରୀରେ ଅନ୍ତର୍ଜାତୀୟ ବିମାନବନ୍ଦର କରିବାକୁ ତାଙ୍କ ଦାବି ଦୋହାରିଛନ୍ତି ମୁଖ୍ୟମନ୍ତ୍ରୀ। ସେ କହିଛନ୍ତି, ପୁରୀରେ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ କାମ ଆଗାମୀ ୩/୪ ବର୍ଷ ଭିତରେ ଶେଷ କରାଯାଉ। ଏହି ଇଣ୍ଟରନ୍ୟାସନାଲ ଏୟାରପୋର୍ଟ କାମ ଶେଷ ହେବା ପରେ ପ୍ରଧାନମନ୍ତ୍ରୀ ପୁରୀ ଆସି ଏହାର ଲୋକାର୍ପଣ କରନ୍ତୁ।