୧୬ ବର୍ଷ ପରେ ଭାରତ ଫେରିବେ ଲଳିତ ମୋଦୀ
ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ପ୍ରତିଷ୍ଠାତା ଏବଂ ଏହାର ପୂର୍ବତନ ଅଧ୍ୟକ୍ଷ ଲଲିତ ମୋଦୀ ଚଳିତବର୍ଷ ଶେଷରେ କିମ୍ବା ୨୦୨୭ ଆରମ୍ଭରେ ସ୍ବଦେଶ ଭାରତ ଫେରିବେ। ୨୦୦୯ରେ ଆଇପିଏଲ୍ ଦକ୍ଷିଣ ଆଫ୍ରିକାରେ ଆୟୋଜନ ହୋଇଥିଲା। ଉକ୍ତ ଆଇପିଏଲ୍ ସମୟରେ ମୋଦୀଙ୍କ ସହ ତତ୍କାଳୀନ ବିସିସିଆଇ ସଭାପତି ଏନ୍. ଶ୍ରୀନିବାସନ୍, ସମ୍ପାଦକ ଏମ୍.ପି. ପାଣ୍ଡବ ଓ ଉପସଭାପତି ଲଳିତ ମୋଦୀଙ୍କ ବିରୋଧରେ ବିଦେଶୀ ମୁଦ୍ରା ପରିଚାଳନା ଆଇନ (ଫେମା) ମାମଲା ରୁଜ୍ଜୁ ହୋଇଥିଲା। ତେବେ ଦକ୍ଷିଣ ଆଫ୍ରିକାର ଏକ ଟ୍ରାଇବ୍ୟୁନାଲ୍ ନିକଟରେ ଏହି ମାମଲାରେ ଲଳିତ ମୋଦୀଙ୍କୁ ଦୋଷମୁକ୍ତ ଘୋଷଣା କରିଛି। ଫଳରେ ୧୬ ବର୍ଷ ପରେ ସେ ଭାରତ ଫେରିବାକୁ ନିଷ୍ପତ୍ତି ନେଇଛନ୍ତି। ୨୦୧୦ରୁ ଲଳିତ ମୋଦୀ ବିଦେଶରେ ରହୁଥିଲେ। ମୋଦୀ କହିଛନ୍ତି ଯେ ଟ୍ରିବ୍ୟୁନାଲ୍ର ଏହି ରାୟ ସହ ୧୬ ବର୍ଷ ଧରି ଚାଲିଥିବା ତାଙ୍କର ଆଇନଗତ ଲଢ଼େଇର ସମାପ୍ତି ଘଟିଛି। ଜଲ୍ଦି ସେ ଭାରତ ଫେରିବାକୁ ଆଶା କରୁଛନ୍ତି। ମୋଦୀ କହିଛନ୍ତି, ଏତେଦିନ ଧରି ଗଣମାଧ୍ୟମ ଏବଂ ସମସ୍ତଙ୍କୁ ଯାହା କହୁଥିଲି; ତାହା ସତ୍ୟ ପ୍ରମାଣିତ ହୋଇଛି। ଟ୍ରିବ୍ୟୁନାଲ୍ ମୋ ସପକ୍ଷରେ ରାୟ ଦେଇଥିବାରୁ ବହୁତ ଖୁସି। ମୋର ଏକମାତ୍ର ଉଦ୍ଦେଶ୍ୟ ଥିଲା ଆଇପିଏଲ୍ର ହିତ ଓ କଲ୍ୟାଣ। ଆଇପିଏଲ୍ ମୋ ପାଇଁ ସବୁଠାରୁ ପ୍ରିୟ। ମୁଁ ଜୀବନରେ ଆଗକୁ ବଢ଼ିବାକୁ ଚାହୁଁଛି ଏବଂ ଭାରତକୁ ଫେରିବାକୁ ଅପେକ୍ଷା କରିଛି। ଚଳିତ ବର୍ଷ ଶେଷଆଡ଼କୁ ମୋ ନାତିର ଜନ୍ମ ପରେ ଭାରତ ଫେରିପାରେ। ତେବେ ଟ୍ରାଇବ୍ୟୁନାଲ୍ କହିଥିଲେ, ଆଇପିଏଲ୍ ପରିଚାଳନାରେ ଲଲିତ ମୋଦୀ ଫେମା ଉଲ୍ଲଂଘନ ପାଇଁ ଦାୟୀ ଥିଲେ ବୋଲି ପ୍ରମାଣ କରିବାକୁ କୌଣସି କାଗଜାତ ମିଳିନାହିଁ। ୨୦୦୯ରେ ଭାରତରେ ସାଧାରଣ ନିର୍ବାଚନ ଥିବାରୁ ଦକ୍ଷିଣ ଆଫ୍ରିକାରେ ଆଇପିଏଲ୍ ଆୟୋଜନ ହୋଇଥିଲା। ବିଦେଶରେ ଟୁର୍ଣ୍ଣାମେଣ୍ଟ ଆୟୋଜନ ହୋଇଥିବାରୁ ବିଦେଶୀ ମୁଦ୍ରା ପରିଚାଳନା ଆଇନର ଉଲ୍ଲଙ୍ଘନ ହୋଇଥିବା ଅଭିଯୋଗ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କରିଥିଲା। ଏଥିପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ୍ର ପୂର୍ବ ଅନୁମତି ଆବଶ୍ୟକ ଥିଲା େବାଲି ଇଡି ଦାବି କରିଥିଲା।