ଭାତ ପୂର୍ବ ଓ ଦକ୍ଷିଣ ଭାରତର ଏକ ମୁଖ୍ୟ ଖାଦ୍ୟ । ଛୋଟରୁ ବଡ଼ ପର୍ଯ୍ୟନ୍ତ ସମସ୍ତଙ୍କର ପ୍ରଥମ ପସନ୍ଦ ହେଉଛି ଭାତ ଓ ପଖାଳ। ବିଶେଷ କରି ଖରାଦିନରେ ପଖାଳ ଭାତ ସହ ତୋରାଣି ପିଇବାର ଆନନ୍ଦ ଅଲଗା। କିନ୍ତୁ ଆପଣ ଜାଣନ୍ତି କି, ଭାତର ପେଜ ବା ତୋରାଣି କେବଳ ଖାଦ୍ୟ ନୁହେଁ, ଏହା ଅନେକ ସ୍ୱାସ୍ଥ୍ୟ ଉପକାରିତାର ଭଣ୍ଡାର ମଧ୍ୟ।
ବୈଜ୍ଞାନିକ ଅନୁସନ୍ଧାନ ଅନୁଯାୟୀ, ଭାତର ପେଜରେ ରହିଛି ପୋଷକତତ୍ୱ ଯାହା ଶରୀରକୁ ସୁସ୍ଥ ରଖିବା ସହ ଚର୍ମ ଓ କେଶର ସୌନ୍ଦର୍ଯ୍ୟ ବଢ଼ାଇବାରେ ସାହାଯ୍ୟ କରେ। ପୁରାତନ ସମୟରେ ମହିଳାମାନେ ପେଜକୁ କେଶରେ ବ୍ୟବହାର କରୁଥିଲେ, ଯାହା କେଶକୁ ମଜବୁତ ଓ ଚମକଦାର କରୁଥିଲା।
ତ୍ୱଚାର ସତେଜତା ରଖିବାରେ ମଧ୍ୟ ପେଜ ଉପକାରୀ। ମୁହଁରେ ବ୍ରଣ ହେଉଥିଲେ ପେଜ ବ୍ୟବହାର କଲେ ଏହା କମିବାରେ ସହାୟକ ହୁଏ। ଏଥିସହ ପେଟବ୍ୟଥା, ଡାଇରିଆ, କୋଷ୍ଠକାଠିନ୍ୟ ଓ ହଜମ ସମସ୍ୟାରେ ମଧ୍ୟ ପେଜ ପିଇବା ଲାଭଦାୟକ ବୋଲି କୁହାଯାଏ।
ଅଧିକ ଥକା ବା ହାଲିଆ ଲାଗୁଥିଲେ ପେଜ ଶରୀରକୁ ତୁରନ୍ତ ଶକ୍ତି ଦେଇଥାଏ। ସହଜରେ ମିଳୁଥିବା ଏହି ପେଜ ଆଜିକାଲି ସ୍ୱାସ୍ଥ୍ୟ ଓ ସୌନ୍ଦର୍ଯ୍ୟ ଚର୍ଚ୍ଚାରେ ବେଶ ଗୁରୁତ୍ୱ ପାଉଛି।ତେଣୁ ଭାତର ପେଜକୁ ଫୋପାଡ଼ି ନଦେଇ ଦୈନନ୍ଦିନ ଜୀବନରେ ବ୍ୟବହାର କଲେ ଶରୀର ଓ ସ୍ୱାସ୍ଥ୍ୟ ଦୁହିଁ ପାଇଁ ଲାଭ ମିଳିପାରିବ।