ମୋ ପୁଅ କ୍ଷମା ପ୍ରାର୍ଥନା କରିବ ନାହିଁ
ମହାରାଷ୍ଟ୍ରର ବରିଷ୍ଠ ରାଜନେତା ବାବା ସିଦ୍ଦିକିଙ୍କୁ ହତ୍ୟା କରାଯିବା ପରେ ବଲିଉଡ଼ର ଭାଇଜାନ ସଲମାନ ଖାନଙ୍କ ଜୀବନ ପ୍ରତି ବିପଦ ବଢ଼ିଛି। ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ପକ୍ଷରୁ ସଲମାନଙ୍କୁ ଜୀବନରୁ ମାରିଦେବାକୁ ବାରମ୍ବାର ଧମକ ମିଳିଛୁ। ଏପରି ସମୟରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗକୁ ମୁହଁତୋଡ଼ ଜବାବ ଦେଇଛନ୍ତି ସଲମାନଙ୍କ ବାପା ସଲିମ ଖାନ ।
ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ସମ୍ମୁଖରେ ସଲମାନ କେବେ ବି ମୁଣ୍ଡ ନୁଆଁଇବେ ନାହିଁ କି କ୍ଷମା ମାଗିବେ ନାହିଁ ବୋଲି ସଫା ସଫା କହିଦେଇଛନ୍ତି ସଲିମ । ମୋ’ ପୁଅ କେବେ ବି କୌଣସି ପଶୁ ଶିକାର କରିନି। ପଶୁ ଦୂରର କଥା ସେ କେବେ ବି ଏକ ଅସରପାକୁ ମାରିନି ବୋଲି କହିଛନ୍ତି ସଲିମ ।
ସଲମାନଙ୍କ ଦ୍ୱାରା ପ୍ରତିଷ୍ଠିତ NGO ‘Being Human’ କରୋନା ସମୟରେ ବହୁ ଲୋକଙ୍କୁ ସାହାଯ୍ୟ କରିଛି। ଆମେ ସବୁବେଳେ ସେପରି ଲୋକଙ୍କ ନିକଟରେ ଛିଡ଼ା ହୋଇଛୁ ଯେଉଁମାନେ ସାହାଯ୍ୟ ଆଶା କରୁଥିଲେ। ଆମ ପରିବାର ହିଂସାରେ କେବେ ବି ବିଶ୍ୱାସ କରେନି । ତେଣୁ ସଲମାନ କେବେ ବି ମୁଣ୍ଡ ନୂଆଁଇବେ ନାହିଁ କି କ୍ଷମା ମାଗିବାର ପ୍ରଶ୍ନ ଉଠୁନି ବୋଲି ସେ କହିଛନ୍ତି।
ବାବା ସିଦ୍ଦିକିଙ୍କ ହତ୍ୟା ପରେ ସଲମାନ ଖାନଙ୍କ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ଦିଆଯାଇଛି। ଇତି ମଧ୍ୟରେ ମୁମ୍ବାଇ ପୁଲିସ୍କୁ ଏକ ଧମକପୂର୍ଣ୍ଣ ମେସେଜ ମିଳିଥିବା ବେଳେ ସଲମାନ ଖାନଙ୍କ ନିକଟରୁ ୫ କୋଟି ଟଙ୍କା ମଗା ଯାଇଥିଲା। ଏହା ନ ଦେଲେ ବାବା ସିଦ୍ଦିକିଙ୍କଠୁ ବି ଖରାପ ଅବସ୍ଥା ହେବ ବୋଲି ଧମକ ଦିଆଯାଇଥିଲା।