ସମୃଦ୍ଧ ଓଡ଼ିଶା ନେଇ ବିଜୁ ବାବୁ ଦେଖିଥିବା ଅଧୁରା ସ୍ବପ୍ନକୁ ପୂରଣ କରିବ ଆମ ସରକାର: ମୁଖ୍ୟମନ୍ତ୍ରୀ ମୋହନ ମାଝୀ

0

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୯ତମ ତିରୋଧାନ ଦିବସ । ଏହି ଅବସରରେ ବିଧାନସଭା ପରିସରରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ଶ୍ରଦ୍ଧା ସୁମନ ଅର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ତାଙ୍କ ସହ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ବାଚସ୍ପତି ସୁରମା ପାଢ଼ୀ ପ୍ରମୁଖ ବିଜୁ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ସମୃଦ୍ଧ ଓଡ଼ିଶା ନେଇ ବିଜୁ ବାବୁ ଦେଖିଥିବା ଅଧୁରା ସ୍ବପ୍ନକୁ ଆମ ସରକାର ସାକାର କରିବାକୁ ଯାଉଛି । ବିଜୁ ପଟ୍ଟନାୟକ କେବଳ ଜଣେ ରାଜନେତା ନୁହେଁ, ସେ ଥିଲେ ଜଣେ ସ୍ୱାଧୀନତା ସଂଗ୍ରାମୀ, ଦୃଷ୍ଟିଶାଳୀ ଶିଳ୍ପପତି ଓ ଓଡିଶାର ସ୍ୱାଭିମାନର ପ୍ରତୀକ। ଓଡିଶା ଓ ଦେଶର ସମ୍ମାନ ପାଇଁ ସେ ସଦା ଲଢ଼େଇ କରିଥିଲେ ଏବଂ କେବେ ବି ସାଲିସ କରିନଥିଲେ।

ସେ ଆହୁରି କହିଛନ୍ତି ଯେ, ସମୃଦ୍ଧ ଓ ସଶକ୍ତ ଓଡିଶା ଗଢ଼ିବା ବିଜୁ ବାବୁଙ୍କର ବଡ଼ ସ୍ୱପ୍ନ ଥିଲା। ସେହି ସ୍ୱପ୍ନକୁ ଆଗକୁ ନେଇ ଚାଲିବା ପାଇଁ ବର୍ତ୍ତମାନ ସରକାର କାମ କରୁଛି। ବିଜୁ ବାବୁ ଜଣେ ସଂଗ୍ରାମୀ ଓ ସାହସୀ ପାଇଲଟ୍ ଥିଲେ । ଓଡ଼ିଶା ଓ ଓଡ଼ିଆ ଜାତିଙ୍କୁ ଭଲ ପାଉଥିବା ଶ୍ରେଷ୍ଠ ରାଜନେତା ହେଉଛନ୍ତି ବିଜୁ ବାବୁ । ନିଜର ସ୍ୱାଭିମାନ ଓ ଓଡ଼ିଶା ମାଟି ପାଇଁ ବିଜୁ ବାବୁ କାମ କରୁଥିଲେ । କୌଣସି ପରିସ୍ଥିତିରେ ବିଜୁ ବାବୁ ଓଡ଼ିଆଙ୍କ ସମ୍ମାନ, ସ୍ୱାଭିମାନକୁ ନେଇ ସାଲିସ କରିବାକୁ ଦେଉ ନଥିଲେ । ବିଜୁ ସମୃଦ୍ଧ ଓଡ଼ିଶା ସ୍ବପ୍ନ ଦେଖିଥିଲେ । ସଂକଳ୍ପ ନେଇ କାମ କରୁଥିଲେ ।

ସେ ଆଉ ମଧ୍ୟ କହିଛନ୍ତି ବିଜୁ ବାବୁଙ୍କ ଯେଉଁ ସ୍ୱପ୍ନ ଅଧୁରା ରହିଯାଇଛି, ତାହାକୁ ପୂରଣ କରିବା ପାଇଁ ସରକାର ସଂକଳ୍ପବଦ୍ଧ ଭାବେ ଆଗେଇ ଯାଉଛି। ଆଗାମୀ ଦିନରେ ଓଡିଶାର ପରିଚୟ ଓ ଓଡିଆ ଗର୍ବ ବିଶ୍ୱ ଦରବାରରେ ଅଧିକ ସ୍ପଷ୍ଟ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି। ବିଜୁ ତିରୋଧାନ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ଏହି ବକ୍ତବ୍ୟ ରାଜ୍ୟର ଉନ୍ନତି ଓ ଭବିଷ୍ୟତ ଦିଗରେ ନୂଆ ଆଶା ସୃଷ୍ଟି କରିଛି।

Leave A Reply

Your email address will not be published.