ଭୁବନେଶ୍ୱର : ପାହାଡ଼ପୁର ଗସ୍ତରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ । ମିଡିଆ ପ୍ରବେଶ ଉପରେ କଟକଣା, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି । ମୟୂରଭଞ୍ଜ ଜିଲ୍ଲାର ପାହାଡ଼ପୁର ଗାଁକୁ ଆସନ୍ତା ଜୁନ୍ ୨୦ ତାରିଖରେ ସାମ୍ବାଦିକମାନଙ୍କ ପ୍ରବେଶ ଉପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ପୂର୍ଣ୍ଣ କଟକଣା ଜାରି କରାଯାଇଛି । ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହାଇ-ପ୍ରୋଫାଇଲ୍ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା କାରଣରୁ ଏହି ନିଷ୍ପତ୍ତି ନିଆଯାଇଛି ।
ମୟୂରଭଞ୍ଜ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ ଦ୍ୱାରା ଜାରି କରାଯାଇଥିବା ସରକାରୀ ଚିଠି ଅନୁଯାୟୀ, ଜୁନ୍ ୨୦ ତାରିଖରେ କୌଣସି ପ୍ରିଣ୍ଟ କିମ୍ବା ଇଲେକ୍ଟ୍ରୋନିକ ମିଡିଆର ପ୍ରତିନିଧିଙ୍କୁ ପାହାଡ଼ପୁର ଗ୍ରାମକୁ ଖବର ସଂଗ୍ରହ ପାଇଁ ଯିବାକୁ ଅନୁମତି ଦିଆଯିବ ନାହିଁ । ଜିଲ୍ଲା ଗୋଇନ୍ଦା ବିଭାଗ ଏବଂ ମୟୂରଭଞ୍ଜ ଆରକ୍ଷୀ ଅଧୀକ୍ଷକଙ୍କ ସୁରକ୍ଷା ସମ୍ବନ୍ଧୀୟ ଚିଠିକୁ ଆଧାର କରି ଏହି ଜରୁରୀକାଳୀନ ନିର୍ଦ୍ଦେଶନାମା ଜାରି କରାଯାଇଛି । ଭିଭିଆଇପି ଗସ୍ତକୁ ଶୃଙ୍ଖଳିତ କରିବା ପାଇଁ ପ୍ରଶାସନ ଗଣମାଧ୍ୟମର ସହଯୋଗ ଲୋଡ଼ିଛି । ମୟୂରଭଞ୍ଜ ଜିଲ୍ଲା କୁସୁମୀ ବ୍ଲକର ରାଇରଙ୍ଗପୁରଠାରୁ ପ୍ରାୟ ୨୦ କିଲୋମିଟର ଦୂରରେ ଅବସ୍ଥିତ ପାହାଡ଼ପୁର ଗ୍ରାମ ହେଉଛି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଶାଶୁଘର । ଏହା ତାଙ୍କ ସ୍ୱର୍ଗତ ସ୍ୱାମୀ ଶ୍ୟାମ ଚରଣ ମୁର୍ମୁଙ୍କ ନିଜ ଗାଁ । ସାନ୍ତାଳ ଜନଜାତିର ଏହି ଗ୍ରାମ ସହ ରାଷ୍ଟ୍ରପତିଙ୍କର ଗଭୀର ପାରିବାରିକ ଏବଂ ସାଂସ୍କୃତିକ ସମ୍ପର୍କ ରହିଛି ।
୨୦୨୩ ମେ’ ୪ ତାରିଖରେ ରାଷ୍ଟ୍ରପତି ପଦ ଗ୍ରହଣ କରିବା ପରେ ମହାମହିମ ପ୍ରଥମ ଥର ପାଇଁ ପାହାଡ଼ପୁର ଆସିଥିଲେ । ସେତେବେଳେ ତାଙ୍କୁ ପାରମ୍ପରିକ ସାନ୍ତାଳ ଶୈଳୀରେ ଭବ୍ୟ ସ୍ୱାଗତ କରାଯାଇଥିଲା । ସେ ନିଜେ ଚାଲି ଚାଲି ଗ୍ରାମବାସୀଙ୍କୁ ଭେଟିବା ସହ ‘ଗୋସାଣୀ’ (ପୂର୍ବପୁରୁଷଙ୍କ ପବିତ୍ର ସ୍ଥଳ)ରେ ପୂଜାର୍ଚ୍ଚନା କରିଥିଲେ ଏବଂ ସ୍ୱାମୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ତାଙ୍କରି ପ୍ରେରଣାରେ ଏହି ଗ୍ରାମରେ ବହୁ ଆଦିବାସୀ ବିକାଶମୂଳକ ଯୋଜନା କାର୍ଯ୍ୟକାରୀ ହେଉଛି, ଯେଉଁଥିରେ SLS ଆବାସିକ ବିଦ୍ୟାଳୟରେ ସ୍କିଲ୍ ଟ୍ରେନିଂ ହବ୍ ଏବଂ L&T ସହାୟତାରେ ଅତ୍ୟାଧୁନିକ ତାଲିମ କେନ୍ଦ୍ର ସାମିଲ ରହିଛି । ଓଡ଼ିଶାରେ ବିଜେପି ସରକାରର ଦୁଇ ବର୍ଷ ପୂର୍ତ୍ତି ଅବସରରେ ଏହି ଯୁଗ୍ମ ଗସ୍ତ ଆଦିବାସୀ ବହୁଳ ଅଞ୍ଚଳର ବିକାଶକୁ ଆହୁରି ଗତିଶୀଳ କରିବ ବୋଲି ଆଶା କରାଯାଉଛି ।