ପୁରୀରେ ରୋଡ୍‌ ଶୋ’ କଲେ ମୋଦି

0

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସିଥିବା ବେଳେ ସୋମବାର ପୁରୀରେ ପହଞ୍ଚି ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ। ଏହା ପରେ ପ୍ରଧାନମନ୍ତ୍ରୀ ବଡ଼ଦାଣ୍ଡରୁ ରୋଡ୍‌ ଶୋ’ ଆରମ୍ଭ କରିଛନ୍ତି। ଏହି ରୋଡ୍‌ ଶୋ’ରେ ହଜାର ହଜାର ଲୋକ ସାମିଲ ହୋଇଛନ୍ତି।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ରବିବାର ସନ୍ଧ୍ୟାରେ ୨ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ବାୟୁସେନାର ସ୍ବତନ୍ତ୍ର ବିମାନରେ ରବିବାର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିବା ପରେ ମୋଦିଙ୍କୁ ରାଜ୍ୟ ଭାଜପା ନେତାମାନେ ଭବ୍ୟ ସ୍ବାଗତ କରିଥିଲେ। ଏହାପରେ କଡ଼ା ସୁରକ୍ଷା ମଧ୍ୟରେ ପ୍ରଧାନମନ୍ତ୍ରୀ ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ପହଞ୍ଚିଥିଲେ। ମୋଦିଙ୍କ ଏହି ଗସ୍ତକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ମୋଦି ପାଖାପାଖି ସନ୍ଧ୍ୟା ୭ଟା ସମୟରେ ଭାଜପା ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚିବା ପରେ ତାଙ୍କୁ ସେଠାରେ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ଜଣାଯାଇଥିଲା।

ଏହାପରେ ପ୍ରଧାନମନ୍ତ୍ରୀ ଭାଜପାର ରାଜ୍ୟ ନିର୍ବାଚନ ପରିଚାଳନା ଦାୟିତ୍ୱରେ ଥିବା ପ୍ରାୟ ୩୭ ଜଣ ନେତାଙ୍କ ସହ ବୈଠକ କରିଥିଲେ। ମିଳିଥିବା ସୂଚନା ମୁତାବକ, ପ୍ରଧାନମନ୍ତ୍ରୀ ପ୍ରଥମେ ସମସ୍ତେ କିପରି ଅଛନ୍ତି ଏବଂ ଖାଇବା ପିଇବା ବିଷୟରେ ବୁଝିଥିଲେ। ଏହାପରେ ମୋଦିଙ୍କ ପାଖରେ ଓଡ଼ିଶା ବାବଦରେ ରହିଥିବା ବିଭିନ୍ନ ତଥ୍ୟକୁ ସେମାନଙ୍କ ପାଖରେ ରଖିଥିଲେ। ସେ ରଖିଥିବା ତଥ୍ୟର ସତ୍ୟତା ଏବଂ ରାଜ୍ୟରେ ନିର୍ବାଚନ ପରିଚାଳନା କିପରି ଚାଲିଛି ତା’ ଉପରେ ବିଶେଷ ଧ୍ୟାନ ଦେଇଥିଲେ। ପ୍ରାୟ ୩୦ ମିନିଟ୍‌ ଧରି ଆଲୋଚନା କରିବା ସମୟରେ ପ୍ରଧାନମନ୍ତ୍ରୀ, ନିର୍ବାଚନରେ କ’ଣ କିପରି ସୁବିଧା ଅସୁବିଧା ଅଛି ସେନେଇ ମଧ୍ୟ ପଚାରି ବୁଝିଥିଲେ। ଏହାସହ ଟେକ୍ନୋଲୋଜିର ବ୍ୟବହାର ନିର୍ବାଚନରେ କିପରି ହେଉଛି ଏବଂ ଆଗକୁ କ’ଣ କରିବା ଦରକାର ସେନେଇ ମଧ୍ୟ ନିର୍ବାଚନ ପରିଚାଳନା ଦାୟିତ୍ୱରେ ଥିବା ନେତାମାନଙ୍କୁ ପଚାରିଥିଲେ। ଯେପରି ଡେଟା ଷ୍ଟୋରିଂ, ଫାଇଲିଂ ଏ ବାବଦରେ ମଧ୍ୟ ଆଲୋଚନା କରିଥିଲେ। ଶେଷରେ ଜଲ୍‌ଦି ଦେଖା ହେବ ବୋଲି କହି କିଛି ଗଣମାଧ୍ୟମକୁ ସ୍ବତନ୍ତ୍ର ସାକ୍ଷାତ୍‌କାର ଦେଇଥିଲେ।

ପ୍ରଧାନମନ୍ତ୍ରୀ ବୈଠକ ଶେଷ କରିବା ପରେ ରାଜଭବନ ଅଭିମୁଖେ ଗସ୍ତ କରିଥିଲେ। ସେ ରାଜଭବନରେ ରାତ୍ରିଯାପନ କରିଥିଲେ। ଏହା ମୋଦିଙ୍କ ଚଳିତ ନିର୍ବାଚନ ଘୋଷଣା ପରେ ୩ୟ ଥର ୨ଦିନିଆ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ। ପ୍ରଧାନମନ୍ତ୍ରୀ ସୋମବାର ସକାଳୁ ପୁରୀ ଅଭିମୁଖେ ଗସ୍ତ କରିଥିଲେ। ସେଠାରେ ସକାଳ ୮ଟା ମଧ୍ୟରେ ଜଗନ୍ନାଥଙ୍କ ଦର୍ଶନ କରିବା ପରେ ରୋଡ୍‌ ଶୋ କରିଛନ୍ତି। ଏହି ଅବସରରେ ସେ ପୁରୀ ଲୋକ ସଭା ଏବଂ ବିଧାନସଭା ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ। ଏହାପରେ ସେ ଅନୁଗୋଳ ଏବଂ କଟକଠାରେ ଆୟୋଜିତ ଏକ ସାଧାରଣ ସଭାରେ ଯୋଗଦେବେ। ପରେ ସେ ଫେରିଯିବେ ବୋଲି ଜଣାପଡ଼ିଛି।

Leave A Reply

Your email address will not be published.