MMDR ଆଇନ ବିରୋଧରେ ନବୀନଙ୍କ ହୁଙ୍କାର, ଓଡ଼ିଶାର ଅଧିକାର ପାଇଁ ଶେଷ ନିଶ୍ୱାସ ଯାଏଁ ଲଢ଼ିବି

0

MMDR ଆଇନ ବିରୋଧରେ ନବୀନଙ୍କ ହୁଙ୍କାର । ଲୋୟର ପିଏମଜିରେ ବିଜେଡି ବିଶାଳ ପ୍ରତିବାଦ ସଭାକୁ ସମ୍ବୋଧିତ କରି ନବୀନ କହିଛନ୍ତି, ଓଡ଼ିଶାର ଅଧିକାର ପାଇଁ ଶେଷ ନିଶ୍ୱାସ ଯାଏଁ ଲଢ଼ିବି। ଏହା କେବଳ ବିଜେଡିର ଲଢ଼େଇ ନୁହେଁ। ସାଢ଼େ ୪ କୋଟି ଓଡ଼ିଆଙ୍କ ହକ୍ ର ଲଢ଼େଇ। ଓଡ଼ିଶାର ସ୍ୱାର୍ଥ ପାଇଁ ଦଳମତ ନିର୍ବିଶେଷରେ ସମସ୍ତଙ୍କୁ ଏକାଠି ହେବାକୁ ନବୀନ ଆହ୍ୱାନ ଦେଇଛନ୍ତି।

ଓଡ଼ିଶାର ଖଣି ଓ ଓଡ଼ିଶାର ଜମି ଉପରେ ଓଡ଼ିଶାବାସୀଙ୍କ ହକ୍ ରହିଛି। ଓଡ଼ିଶାର ୨୦ ବିଜେପି ସାଂସଦ କାହିଁକି ଚୁପ୍ ? ରାଜ୍ୟ ସରକାର କାହିଁକି ନୀରବ? ବୋଲି ପ୍ରଶ୍ନ କରିଛନ୍ତି ନବୀନ। ଏହି ସଂଶୋଧନ ଯୋଗୁଁ ଓଡ଼ିଶା ପ୍ରତିବର୍ଷ ହଜାର ହଜାର କୋଟି ଟଙ୍କାର ରାଜସ୍ୱ ହରାଇବ। MMDR ପ୍ରସଙ୍ଗରେ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକି ସର୍ବସମ୍ମତ ପ୍ରସ୍ତାବ ଗୃହୀତ କରିବାକୁ ନବୀନ ଦାବି କରିଛନ୍ତି।

ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଦୁଇଥର ଏବଂ ରାଜ୍ୟର ବିଜେପି ସାଂସଦମାନଙ୍କୁ ଚିଠି ଲେଖିଥିବା କହିଛନ୍ତି ନବୀନ। ରାଜ୍ୟର ସମ୍ପଦ ଓ ଅଧିକାରର ସୁରକ୍ଷା Gen Z ଓ ଆଗାମୀ ପିଢ଼ିର ଭବିଷ୍ୟତ ସହ ଜଡ଼ିତ ବୋଲି ସେ କହିଛନ୍ତି। ମାଟିଠାରୁ ପାର୍ଟି କେବେ ବଡ଼ ହୋଇପାରିବ ନାହିଁ। ଚୌକି ଆଜି ଅଛି, କାଲି ନଥିବ କିନ୍ତୁ ମାଟିକୁ ଧୋକା ଦେଲେ ଲୋକେ କ୍ଷମା କରିବେ ନାହିଁ। MMDR ସଂଶୋଧନ ବିରୋଧରେ ଲଢ଼େଇ ଜାରି ରଖିବାକୁ ନବୀନ ଆହ୍ବାନ ଦେଇଛନ୍ତି।

Leave A Reply

Your email address will not be published.