ଗରିବ ଦେଶଙ୍କ ତଣ୍ଟି ଚିପୁଛନ୍ତି ଧନୀ ରାଷ୍ଟ୍ର

0

ନୂଆଦିଲ୍ଲୀ (ଆମ ଟିଭି): ଗରିବ ଦେଶଙ୍କ ତଣ୍ଟି ଚିପୁଛନ୍ତି ଧନୀ ରାଷ୍ଟ୍ର । ବିଶ୍ବର ଧନୀ ରାଷ୍ଟ୍ରଗୁଡ଼ିକ ଅତ୍ୟଧିକ ସୁଧହାର ଓ ତେଲମୂଲ୍ୟ ବୃଦ୍ଧି ମାଧ୍ୟମରେ ଗରିବ ଦେଶଗୁଡ଼ିକର ତଣ୍ଟି ଚିପୁଛନ୍ତି ବୋଲି ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ ଶନିବାର ଅଭିଯୋଗ କରିଛନ୍ତି। ଦୋହାଠାରେ ଅନୁଷ୍ଠିତ ସବୁଠୁ ବଞ୍ଚିତ ଦେଶଗୁଡ଼ିକର ଶିଖର ସମ୍ମିଳନୀରେ ଗୁଟେରସ କହିଲେ ଯେ ଧନୀ ଦେଶଗୁଡ଼ିକ ଗରିବ ଦେଶଗୁଡ଼ିକୁ ବର୍ଷକୁ ୫୦,୦୦୦ କୋଟି ଡଲାର ସହାୟତା ପ୍ରଦାନ କରିବା ଉଚିତ।

୪୬ଟି ସବୁଠୁ କମ୍ ବିକଶିତ ଦେଶ (ଏଲ୍ଡିସି)ର ଶିଖର ସମ୍ମିଳନୀ ପ୍ରତି ୧୦ ବର୍ଷରେ ଥରେ ଅନୁଷ୍ଠିତ ହୁଏ। କିନ୍ତୁ କରୋନା ମହାମାରୀ ହେତୁ ୨୦୨୧ରୁ ଏହା ଦୁଇଥର ଘୁଞ୍ଚିଥିଲା। ସବୁଠୁ ୨ ଗରିବ ଦେଶ ଆଫଗାନିସ୍ତାନ ଓ ମ୍ୟାନମାରର ପ୍ରତିନିଧି ଦୋହାଠାରେ ଅନୁଷ୍ଠିତ ଏହି ବୈଠକରେ ଉପସ୍ଥିତ ନ ଥିଲେ। କାରଣ ସେମାନଙ୍କ ସରକାରକୁ ଜାତିସଂଘ ତରଫରୁ ସ୍ବୀକୃତି ମିଳି ନାହିଁ। ବିଶ୍ବର ବୃହତ୍ ଅର୍ଥନୀତିଗୁଡ଼ିକ ମଧ୍ୟରୁ ବି କୌଣସି ନେତା ଉପସ୍ଥିତ ନ ଥିଲେ।

ଧନୀ ଦେଶଗୁଡ଼ିକ ଗରିବ ଦେଶଗୁଡ଼ିକୁ ଯେପରି ବ୍ୟବହାର କରୁଛନ୍ତି ତାହା ଉପରେ ଗୁଟେରସ ସମ୍ମିଳନୀ ଆରମ୍ଭରେ ହିଁ କ୍ଷୋଭ ପ୍ରକାଶ କରିଥିଲେ। ଗୁଟେରସ କହିଥିଲେ ଯାହାଙ୍କ ପାଖରେ ଜୀବାଶ୍ମ ଇନ୍ଧନ ଯେତେ ବେଶି ଅଛି ଓ ଯିଏ ଯେତେ ବେଶି ବ୍ୟବହାର କରୁଛନ୍ତି ସେମାନେ ସେତେ ଲାଭ କମାଉଛନ୍ତି। କିନ୍ତୁ ଏସବୁ ଇନ୍ଧନ ଦହନରୁ ପାରିବେଶିକ କ୍ଷତି ସହୁଥିବା ଗରିବ ଦେଶଗୁଡ଼ିକୁ ବାଲ୍ତିରେ ବିନ୍ଦୁଏ ଜଳ ଛିଞ୍ଚିଲା ପରି ସାହାଯ୍ୟ କରୁଛନ୍ତି।

Leave A Reply

Your email address will not be published.