୪ ବର୍ଷ ପରେ ପରଦାକୁ ଫେରିଲେ ସ୍ଵାତିକ, ମୁକ୍ତିଲାଭ କଲା ‘ପରିଚୟ’
ସାରା ଓଡ଼ିଶାରେ ମୁକ୍ତିଲାଭ କଲା ସ୍ଵାତିକ ମିଶ୍ରଙ୍କ ଚଳଚ୍ଚିତ୍ର ‘ପରିଚୟ। ଅଭିନେତା, ପ୍ରଯୋଜକ ଓ ନିର୍ଦ୍ଦେଶକ ସ୍ଵାତିକ ମିଶ୍ରଙ୍କ ବହୁ ପ୍ରତୀକ୍ଷିତ ଓଡ଼ିଆ ଚଳଚ୍ଚିତ୍ର ‘ପରିଚୟ’ ସାରା ଓଡ଼ିଶାରେ ମୁକ୍ତିଲାଭ କରିଛି । ଜଣେ ଅନାଥ ଶିଶୁର ଜୀବନ, ସଂଘର୍ଷ ଓ ପରିଚୟର କାହାଣୀକୁ ନେଇ ନିର୍ମିତ ଏହି ଚଳଚ୍ଚିତ୍ର ଦର୍ଶକଙ୍କୁ ଭାବବିହ୍ୱଳ କରୁଛି ।
କର୍କଟ ରୋଗ ସହ ଦୀର୍ଘ ସଂଘର୍ଷ ପରେ ସୁସ୍ଥ ହୋଇ ସ୍ଵାତିକ ମିଶ୍ର ନିଜର ଏହି ଚଳଚ୍ଚିତ୍ରକୁ ୪ ବର୍ଷ ପରେ ମୁକ୍ତିଲାଭ କରାଇଛନ୍ତି । ତାଙ୍କ ଜୀବନର ସଂଘର୍ଷ ଓ ଦୃଢତାର ପ୍ରତିଛବି ଏହି ସିନେମାରେ ମଧ୍ୟ ଦେଖିବାକୁ ମିଳିଛି ।ଏହି ଚଳଚ୍ଚିତ୍ରରେ ଦର୍ଶାଯାଇଛି ମଣିଷ ଜନ୍ମରୁ ନୁହେଁ, କର୍ମ ଦ୍ୱାରା ନିଜ ପରିଚୟ ସୃଷ୍ଟି କରେ । ଏହାସହ ଫିଲ୍ମରେ ଭଗବାନ ଜଗନ୍ନାଥଙ୍କୁ ସମସ୍ତଙ୍କ ପିତା ଭାବେ ଦେଖାଯାଇଛି ଓ ସନ୍ଦେଶ ଦିଆଯାଇଛି ଯେ, ଏହି ସଂସାରରେ କେହି ଅନାଥ ନୁହେଁ ।
ଏହି ଚଳଚ୍ଚିତ୍ରରେ ସ୍ଵାତିକ ମିଶ୍ର ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ବେଳେ ଶତରୁପା ମୁଭିଜ ବ୍ୟାନରରେ ଏହା ପ୍ରସ୍ତୁତ ହୋଇଛି । ସଂଳାପ ରଚନା କରିଛନ୍ତି ହୃଦାନନ୍ଦ । ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନାରେ ଅଛନ୍ତି ସ୍ଵାତିକ ମିଶ୍ର । ଚିତ୍ରଗ୍ରହଣ କରିଛନ୍ତି ବିଭୁପ୍ରସାଦ । ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଶରତ ନାୟକ ଓ ଗୀତ ଲେଖିଛନ୍ତି ଅରୁଣ ମନ୍ତ୍ରୀ ।