ସରକାରଙ୍କ ଅସ୍ଥାୟୀ ବ୍ୟାନ ନିଷ୍ପତ୍ତିକୁ ଟେଲିଗ୍ରାମର ଚ୍ୟାଲେଞ୍ଜ , ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲା ଟେଲିଗ୍ରାମ
ନିଟ୍ ପରୀକ୍ଷା ପୂର୍ବରୁ କୋର୍ଟରେ ପହଞ୍ଚିଲା ଟେଲିଗ୍ରାମ୍ । ସରକାରଙ୍କ ଅସ୍ଥାୟୀ ବ୍ୟାନ ନିଷ୍ପତ୍ତିକୁ ଟେଲିଗ୍ରାମର ଚ୍ୟାଲେଞ୍ଜ । ନିଟ୍-ୟୁଜି ପୁନଃ ପରୀକ୍ଷାର କିଛିଦିନ ପୂର୍ବରୁ କେନ୍ଦ୍ର ସରକାରଙ୍କ ଦ୍ୱାରା ଲଗାଯାଇଥିବା ସାମୟିକ ବ୍ୟାନକୁ ଚ୍ୟାଲେଞ୍ଜ କରି ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛି ଟେଲିଗ୍ରାମ । ମାମଲାର ଗୁରୁତ୍ୱକୁ ଦେଖି ଜଷ୍ଟିସ୍ ତେଜସ କାରିଆଙ୍କ ଖଣ୍ଡପୀଠ ଆଜି ଏହାର ଜରୁରୀ ଶୁଣାଣି କରିବେ ।
ଗତ ମେ ୩ ତାରିଖରେ ହୋଇଥିବା ମୂଳ NEET-UG ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ପରେ ସାରା ଦେଶରେ ପ୍ରତିବାଦ ଦେଖାଦେଇଥିଲା । ଏହାକୁ ଦୃଷ୍ଟିରେ ରଖି ଜୁନ୍ ୨୧ରେ ପୁନଃ-ପରୀକ୍ଷା କରାଯାଉଛି । ପରୀକ୍ଷା ସମୟରେ ସଂଗଠିତ କପି ରୋକିବା, ନକଲି ପ୍ରଶ୍ନପତ୍ର ବିକ୍ରି କରୁଥିବା ଜାଲିଆତିଆଙ୍କୁ ଧରିବା ଏବଂ ଗୁଜବକୁ ରୋକିବା ପାଇଁ NTA ସରକାରଙ୍କୁ ସୁପାରିଶ କରିଥିଲା । ଏହା ଆଧାରରେ ଆଇଟି ଆକ୍ଟର ସେକ୍ସନ ୬୯A ଅନୁଯାୟୀ, କେନ୍ଦ୍ର ଆଇଟି ମନ୍ତ୍ରଣାଳୟ ଜୁନ୍ ୨୨ ପର୍ଯ୍ୟନ୍ତ ସାରା ଦେଶରେ ଟେଲିଗ୍ରାମ୍ ବ୍ୟବହାର ଉପରେ ସାମୟିକ କଟକଣା ଲଗାଇଛି । ଏହା ସହ ଜୁନ୍ ୩୦ ପର୍ଯ୍ୟନ୍ତ ଭାରତୀୟ ୟୁଜର୍ସଙ୍କ ପାଇଁ ‘ମେସେଜ୍ ଏଡିଟ୍’ ଫିଚରକୁ ମଧ୍ୟ ଅକ୍ଷମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
NTA ମହାନିର୍ଦ୍ଦେଶକ ଅଭିଷେକ ସିଂହ କହିଛନ୍ତି, କେତେକ ଚ୍ୟାନେଲ VPN ଜରିଆରେ ଚାଲିପାରେ । କିନ୍ତୁ ଏହି ବ୍ୟାନ ଯୋଗୁଁ ସାଧାରଣ ୟୁଜର୍ସ ଓ ଜାଲିଆତିଆଙ୍କ ନେଟୱର୍କ ବହୁ ପରିମାଣରେ ହ୍ରାସ ପାଇବ । ଯାହା ଛାତ୍ରଛାତ୍ରୀଙ୍କୁ ସୁରକ୍ଷା ଦେବ ।
ଟେଲିଗ୍ରାମ୍ ସିଇଓ ପାଭେଲ୍ ଦୁରୋଭ୍ ଏହି ବ୍ୟାନକୁ ସମାଲୋଚନା କରିଛନ୍ତି । ତାଙ୍କ କହିବା ଅନୁସାରେ, ଏଭଳି ବ୍ୟାନ ଯୋଗୁଁ ପାଠପଢ଼ା ଗ୍ରୁପ୍, ଖବର ଏବଂ ଯୋଗାଯୋଗ ପାଇଁ ଆପ୍ ବ୍ୟବହାର କରୁଥିବା ଲକ୍ଷ ଲକ୍ଷ ନିର୍ଦ୍ଦୋଷ ୟୁଜର୍ସ ହଇରାଣ ହେଉଛନ୍ତି । ଯେତେବେଳେ କି ଏହା ଦ୍ୱାରା ପ୍ରଶ୍ନପତ୍ର ଲିକ୍ ର ମୂଳ ସମସ୍ୟାର ସମାଧାନ ହେବ ନାହିଁ । ଡିଜିଟାଲ ଅଧିକାର ସଂଗଠନଗୁଡ଼ିକ ମଧ୍ୟ ଏହାକୁ ଅଯଥା ପଦକ୍ଷେପ ବୋଲି କହି ଦୁର୍ନୀତିଖୋର ଚ୍ୟାନେଲଗୁଡ଼ିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ।