ଭୁବନେଶ୍ୱର (ଆମ ଟିଭି): କାଲି ବାତ୍ୟା ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆକାଶମାର୍ଗରୁ କାଲି ଦିନ ୧୦ଟାରେ କରିବେ ପରିଦର୍ଶନ । କାଲି ଆକାଶ ମାର୍ଗରୁ ବାତ୍ୟା ଦାନା ଦ୍ଵାରା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି କ୍ଷୟକ୍ଷତି ଆକଳନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ଅନ୍ୟପଟେ ବାତ୍ୟା ପ୍ରଭାବ ରାଜ୍ୟରୁ ସରିବା ପରେ ଏହାର ସ୍ଥିତି ନେଇ ମୁଖ୍ୟମନ୍ତ୍ରୀ ସକାଳୁ ସମୀକ୍ଷା ବୈଠକ କରିଥିଲେ । ଏହି ବୈଠକରେ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସମେତ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଉପସ୍ଥିତ ଥିଲେ । ଏଥିରେ ବାତ୍ୟା କ୍ଷୟକ୍ଷତି ନେଇ ଆଲୋଚନା ହୋଇଛି ଏବଂ ବାତ୍ୟା ଆଶୟସ୍ଥଳରେ ଥିବା ଲୋମାନଙ୍କୁ ରନ୍ଧା ଖାଦ୍ୟ ଓ ଶୁଖିଲା ଖାଦ୍ୟ ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର ।
ଏହା ସହ ମୁଖ୍ୟମନ୍ତ୍ରୀ କହିଛନ୍ତି ପ୍ରଶାସନ ଏବଂ ଓଡ଼ିଶାବାସୀଙ୍କ ମିଳିତ ଉଦ୍ୟମ ଦ୍ଵାରା ବାତ୍ୟା ‘ଦାନା’ର ସଫଳ ମୁକାବିଲା କରାଯାଇଛି। ବାତ୍ୟାର ପରବର୍ତ୍ତୀ ସ୍ଥିତି ବିଶେଷ କରି ପ୍ରଭାବିତ ଜିଲ୍ଲା ଗୁଡିକରେ ସଂପୂର୍ଣ୍ଣ ନଜର ରଖାଯାଇଛି। ଯୁଦ୍ଧକାଳୀନ ଭିତ୍ତିରେ ରିଲିଫ, ଉଦ୍ଧାରକାର୍ଯ୍ୟ, ଯାତାୟତ, ମେଡିକାଲ ସହାୟତା ଇତ୍ୟାଦି ଯୋଗାଇଦେବା ପାଇଁ ବ୍ୟବସ୍ଥା କରାଯାଇଛି। ଯଥାଶୀଘ୍ର କ୍ଷୟକ୍ଷତିର ଆକଳନ ସହ ଲୋକଙ୍କୁ ସହାୟତା ପ୍ରଦାନ କରିବା ପାଇଁ ଗୁରୁତ୍ଵ ଦିଆଯାଉଛି।
ବାତ୍ୟା ମୁକାବିଲା ପାଇଁ ଆଗୁଆ ପଦକ୍ଷେପ ଏବଂ ସୁପରିଚାଳନା ଦ୍ଵାରା ସରକାର ଶତ ପ୍ରତିଶତ ‘ଜିରୋ କାଜୁଆଲଟି’ ଲକ୍ଷ୍ୟ ପୂରଣ ମଧ୍ୟ କରିଛନ୍ତି। ଏହାକୁ ସଫଳ କରିବା ପଛରେ ପାଣିପାଗ ବିଭାଗ, NDRF, ODRAF, ଅଗ୍ନିଶମ ବାହିନୀ, ପୁଲିସ, ସ୍ୱାସ୍ଥ୍ୟ କର୍ମୀ, ଆଶା ଏବଂ ଅଙ୍ଗନବାଡି କର୍ମୀ, ମିଡିଆ, ଜନପ୍ରତିନିଧି, ସ୍ବେଚ୍ଛାସେବୀ ଏବଂ ଅନ୍ୟ ସମସ୍ତଙ୍କ ନିରନ୍ତର ପ୍ରୟାସ ଏବଂ ଅବଦାନକୁ ସାଧୁବାଦ ଜଣାଉଛି।