ଚମକାଇଦେବ ହ୍ୱାଇଟ ହାଉସର ସୁରକ୍ଷା ବ୍ୟବସ୍ଥା
ହ୍ୱାଇଟ ହାଉସ୍, ଏହା କୌଣସି ସାଧାରଣ ଘର ନୁହେଁ, ୧୩୨ଟି ରୁମ୍, ୩୨ଟି ବାଥରୁମ୍, ୪୧୨ ଟି କବାଟ, ୮ଟି ସିଢୀ, ୩ଟି ଲିଫ୍ଟ, ୧୪୭ ଝରକା ବିଶିଷ୍ଟ ଏହା ବିଶ୍ୱର ସବୁଠୁ ଶକ୍ତିଶାଳି ଘର । ଏହି ଘର ଏତେ ସୁରକ୍ଷିତ ଯେ, ନା ଏଠି କୌଣସି ଗୋଳା ବାରୁଦ କାମ କରିବ ନା କୌଣସି ମିସାଇଲ୍ । ଏପରିକି ପରମାଣୁ ଆକ୍ରମଣରୁ ରକ୍ଷା ପାଇଁ ଏହି ଘରେ ରହିଛି ସିକ୍ରେଟ୍ ଚାମ୍ୱର । ସବୁଠୁ ବଡ କଥା ହେଉଛି, ଯଦି ଏହି ଘରେ କୌଣସି ମୂଷା ଏପଟରୁ ସେପଟ୍ ହୁଏ ତେବେ ତୁରନ୍ତ ଜଣାପଡିଯିବ ମୂଷାର ଗତିବିଧି । ଘରର ତାପମାତ୍ର ବଦଳିଲେ ବି ଏହା ରେକର୍ଡ ହୋଇଯାଏ ।
ଏହି ଘର ହେଉଛି ବିଶ୍ୱର ଶକ୍ତିଶାଳି ରାଷ୍ଟ୍ର, ଆମେରିକା ରାଷ୍ଟ୍ରପତିଙ୍କ ସରକାରୀ ଠିକଣା । ଏହାକୁ ହ୍ୱାଇଟ୍ ହାଉସ୍ କୁହାଯାଏ । ୧୮୦୦ ମସିହାରୁ ରାଷ୍ଟ୍ରପତିଙ୍କ ସରକାରୀ ବାସଭବନ ରହିଆସିଥିବା ଏହି ଘର ସାରା ବିଶ୍ୱରେ ଲୋକଙ୍କ ପାଇଁ ଆକର୍ଷିତ ହୋଇଆସିଛି । ତେବେ ୧୯୦୧ରେ ତତ୍କାଳିନ ରାଷ୍ଟ୍ରପତି ଥିଓଡୋର୍ ରୁଜବେଲ୍ଟ ଏହି ଘରକୁ ହ୍ୱାଇଟ୍ ହାଉସ୍ ଭାବେ ନାମକରଣ କରିଥିଲେ । ୮ଏକର ପରିବ୍ୟାପ୍ତ ହ୍ୱାଇଟ୍ କମ୍ପ୍ଲେକ୍ସରେ ୫୫୦୦୦ ବର୍ଗଫୁଟର ଫ୍ଲୋର୍ ରହିଛି । ବାକି ଅଂଶରେ ଗାର୍ଡେନ୍, ସ୍ୱିମିଂ ପୁଲ୍, ଟେନିସ୍, ବାସକେଟ୍ ବଲ୍, ଜଗିଂ ଟ୍ରାକ୍, ସିନେମା ହଲ୍, ଜିମ୍ ଭଳି ଅନେକ ସୁବିଧା ରହିଛି । ହ୍ୱାଇଟ୍ ହାଉସରେ ୧୩୨ଟି ରୁମ୍ ରହିଛି । ଆଉ ସବୁ ରୁମକୁ ପ୍ରତିଦିନ ଫୁଲରେ ସଜାଯିବାର ବ୍ୟବସ୍ଥା ରହିଛି ।
କୁହାଯାଉଛି ହ୍ୱାଇଟ୍ ହାଉସ ତଳେ ଦୁଇଟି ସୁଡଙ୍ଗ ଏବଂ ସିକ୍ରେଟ୍ ବଙ୍କର ରହିଛି । ଗୋଟିଏ ସୁଡଙ୍ଗ ଟ୍ରେଜେରୀ ବିଲ୍ଡିଂ ଆଡକୁ ଯାଉଥିବା ବେଳେ ଅନ୍ୟ ଟନେଲଟି ସାଉଥ୍ ଲେନରେ ବାହାରିଛି । ଯେଉଁଠି ମରାଇନ୍ ହେଲିକପ୍ଟର ପହଞ୍ଚିବାର ସୁବିଧା ରହିଛି । ହ୍ୱାଇଟ ହାଉସରେ ଏକ ବଙ୍କର ବି ରହିଛି । ରାଷ୍ଟ୍ରପତିଙ୍କ ଜରୁରୀକାଳୀନ ଅପରେସନ୍ ସେଣ୍ଟର ଭାବେ ଏହି ବଙ୍କରକୁ ବ୍ୟବହାର କରାଯାଏ । କୌଣସି ବିପଦ ଆସିଲେ, କିମ୍ୱା ଆକ୍ରମଣର ସମ୍ଭାବନା ଥିଲେ ରାଷ୍ଟ୍ରପତି ଓ ତାଙ୍କ ପରିବାରକୁ ସେଠାରେ ସୁରକ୍ଷିତ ରଖାଯାଇଥାଏ । କଂକ୍ରିଟ୍ ଓ ଷ୍ଟିଲରେ ନିର୍ମିତ ଏହି ବଙ୍କର ଉପରେ ପରମାଣୁ ବୋମା, ରେଡିଏସନ୍ ବା କୌଣସି ପ୍ରକାର ମିସାଇଲ୍ ପ୍ରଭାବ ପକାଇପାରିବ ନାହିଁ ।