ପୁରୀରୁ କୋଣାର୍କ ଗଡିବ ଟ୍ରେନ

0

ଶ୍ରୀକ୍ଷେତ୍ରରୁ ଅର୍କକ୍ଷେତ୍ରକୁ ଗଡ଼ିବ ଟ୍ରେନ୍‌। ସେଥିପାଇଁ ନୂଆ ରେଳ ଲାଇନ୍‌ ନିର୍ମାଣ କରିବ। ସେହି ଟ୍ରାକ୍‌ରେ ଭିଷ୍ଟାଡୋମ୍‌ ଟ୍ରେନ୍‌ ଚାଲିବାର ବ୍ୟବସ୍ଥା କରାଯିବ। ଯାହାଫଳରେ ପର୍ଯ୍ୟଟକମାନେ ଟ୍ରେନ୍‌ ଭିତରୁ ବାହାର ସବୁ ଦୃଶ୍ୟ ଦେଖିପାରିବେ। ଆଜି ଏନେଇ ସୂଚନା ଦେଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।

ଗଣମାଧ୍ୟମକୁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ପୁରୀରୁ କୋଣାର୍କ ନୂଆ ରେଲୱେ ଲାଇନ୍‌ ନିର୍ମାଣ ହେବ। ଏହି ରେଳ ଲାଇନ୍‌କୁ କେନ୍ଦ୍ର ସରକାର ଅନୁମୋଦନ ଦେଇଛନ୍ତି। ଏଥିପାଇଁ ୪୯୨ କୋଟି ଟଙ୍କା ମଞ୍ଜୁର ହୋଇଛି। ୩୨ କିଲୋମିଟର ନୂଆ ରେଳ ଲାଇନ୍‌ ନିର୍ମାଣ ହେବ। ଏହି ଟ୍ରାକ୍‌ରେ ଭିଷ୍ଟାଡୋମ୍‌ ଟ୍ରେନ୍‌ ଚଲିବ। ଭିଷ୍ଟାଡୋମ୍‌ ଟ୍ରେନ୍‌ ବଗିର ଦୁଇ ପାର୍ଶ୍ୱ ଓ ଉପର ଛାତ କାଚରେ ତିଆରି। ସେହି ଟ୍ରେନ୍‌ରେ ପର୍ଯ୍ୟଟକମାନେ ଯାତ୍ରା କଲେ ପ୍ରାକୃତିକ ସୌନ୍ଦ୍ୟର୍ଯ୍ୟକୁ ପୂରାପୂରି ଉପଭୋଗ କରିପାରିବେ। ତାହା ସହିତ ଟ୍ରେନ୍‌ ଭିତରେ ଜଗନ୍ନାଥଙ୍କ ସଂସ୍କୃତି ସମ୍ପର୍କରେ ଲୋକମାନଙ୍କୁ ତଥ୍ୟ ଦିଆଯିବ। ଏହି ପ୍ରକଳ୍ପ ପାଇଁ ୨୧୫ ହେକ୍ଟର ଜମିର ଆବଶ୍ୟକତା ପଡ଼ିବ। ରାଜ୍ୟ ସରକାର ସହଯୋଗ କଲେ ଜମି ଅଧିଗ୍ରହଣ ଆରମ୍ଭ କରାଯିବ। ତା’ପରେ କାମ ଆରମ୍ଭ କରାଯିବ। ଏଥିପାଇଁ ଟଙ୍କା ଅଛି, ଡିଜାଇନ୍‌ ପାଖାପାଖି ସରି ଆସିଲାଣି ବୋଲି ରେଳ ମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.