ଭୁବନେଶ୍ୱର(ଆମ ଟିଭି): ଶୀତୁଆ ପାଗ ସାଙ୍ଗକୁ ମେଳାର ମଜା ନେଉଛନ୍ତି ରାଜଧାନୀବାସୀ । ଜନତା ମଇଦାନରେ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳାରେ ବେଶ୍ ଉପଭୋଗ କରୁଛନ୍ତି। ପରିବାର, ସାଙ୍ଗସାଥୀ ମେଳରେ ମେଳା ବୁଲୁଛନ୍ତି। କିଣାବିକା ସାଙ୍ଗକୁ ସାଂସ୍କୃତିକ କାର୍ୟ୍ୟକ୍ରମ ନିଆରା ଅନୁଭବ ଦେଉଛି। ଅନ୍ୟପଟେ ଭଳିକି ଭଳି ଖାଦ୍ୟର ବାସ୍ନା ସେମାନଙ୍କୁ ଫୁଡ୍କୋର୍ଟକୁ ଟାଣି ନେଉଛି। ଆକର୍ଷଣୀୟ ସାଜସଜ୍ଜା ସହ ଫଟୋ ଉଠାଇବାକୁ ସୁନ୍ଦର ସୁନ୍ଦର ସ୍ଥାନ ମନ ଜିଣୁଥିବାବେଳେ ଦିନକୁ ଦିନ ବେଶ୍ ଜମିବାରେ ଲାଗିଛି ତୋଷାଳି ମେଳା।
ବୁଧବାର ମେଳାର ପଞ୍ଚମ ସାରେ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ସୁରେଶ ମହାପାତ୍ର, ପରିଚାଳନା ନିର୍ଦ୍ଦେଶିକା ତଥା ହସ୍ତଶିଳ୍ପର ନିର୍ଦ୍ଦେଶିକା ପ୍ରଣତୀ ଛୋଟରାୟ, ସିଡାକର ସଦସ୍ୟ ସଚିବ ଶିଶିର କୁମାର ରଥ ପ୍ରମୁଖ ଯୋଗଦେଇଥିଲେ। ପଶ୍ଚିମ ଓଡ଼ିଶାର ଲୋକନୃତ୍ୟ ପାଇଁ ଏହି ସା ସମର୍ପିତ ଥିଲା। ବରଗଡ଼ର ରବୀନ୍ଦ୍ର ସାହୁ ଓ ସାଥୀଙ୍କ ଦ୍ବାରା ଆଦି ଧୂନ, ସମ୍ବଲପୁର ଆଲୋକ ପଣ୍ଡା ଓ ସାଥୀଙ୍କ ଦ୍ବାରା ଘୁଙ୍ଗୁରର ଶବ୍ଦ ଓ ସମ୍ବଲପୁରୀ ନୃତ୍ୟ ଦର୍ଶକଙ୍କ ମନ ମୋହିଥିଲା। ସେହିପରି ବଲାଙ୍ଗୀରର ଦୁଲ୍ଦୁଲି କଳା ପରିଷଦ ଦ୍ବାରା ଧାପ ନୃତ୍ୟ ଓ ବୌଦ୍ଧର ପ୍ରଣାମ ଅନୁଷ୍ଠାନ ଦ୍ବାରା ପଞ୍ଚରସି ଚୁଟ୍କୁଛୁଟା ବେଶ୍ ମନୋରଞ୍ଜନ କରିଥିଲା।