ପୁଣି ୟୁଟ୍ୟୁବ ଓ ଫେସବୁକକୁ ଫେରିଲେ ଟ୍ରମ୍ପ

0

ନୂଆଦିଲ୍ଲୀ :ହଟିଲା ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରୁ ବ୍ୟାନ୍। ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ୱିଟର୍ ପରେ ୟୁଟ୍ୟୁବ୍ ଓ ଫେସ୍‌ବୁକ୍‌କୁ ଫେରିଲେ ଟ୍ରମ୍ପ। ଦୀର୍ଘ ଦୁଇ ବର୍ଷ ପରେ ଏହି ଦୁଇଟି ଲୋକପ୍ରିୟ ସୋଶାଲ ମିଡିଆ ସାଇଟ୍‌କୁ ଟ୍ରମ୍ପ ଫେରିଛନ୍ତି। ବ୍ୟାନ୍ ହଟିବା ପରେ ଟ୍ରମ୍ପ ପ୍ରଥମ ପୋଷ୍ଟ ଶେଆର କରି ଇଂରାଜୀରେ ଲେଖିଛନ୍ତି ‘ଆଇ ଏମ୍ ବ୍ୟାକ୍‌!’।

ଟ୍ରମ୍ପ ନିଜର ପୋଷ୍ଟ ସହ ୧୨ ସେକେଣ୍ଡର ଏକ ଭିଡିଓ ମଧ୍ୟ ଶେଆର କରିଛନ୍ତି। ଏହି ଭିଡିଓରେ ଜରିଆରେ ୨୦୨୪ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରଚାର ମଧ୍ୟ କରିଛନ୍ତି। ସେ ତାଙ୍କର ପ୍ରସିଦ୍ଧ ସ୍ଲୋଗାନ ‘ମେକ୍ ଆମେରିକା ଗ୍ରେଟ୍ ଅଗେନ୍‌’କୁ ଭିଡିଓରେ ଯୋଡିଛନ୍ତି।

ଆମେରିକାର କ୍ୟାପିଟାଲ ହିଲ୍ ଉପରେ ଆକ୍ରମଣ ପରେ୨୦୨୧ ଜାନୁଆରୀ ୬ରେ ଡୋନାଲ୍ଡ ଟ୍ରମ୍ପଙ୍କ ସମସ୍ତ ସୋଶାଲ ମିଡିଆ ଆକାଉଣ୍ଟ ପରେ ପ୍ରତିବନ୍ଧକ ଲାଗୁ କରାଯାଇଥିଲା। ପରେ ୨୦୨୩ ଜାନୁୂଆରୀ ୨୫ରେ ଫେସ୍‌ବୁକ୍ ଓ ଇଂଷ୍ଟାଗ୍ରାମ ସଂଚାଳନ କରୁଥିବା କମ୍ପାନୀ ମେଟା ଟ୍ରମ୍ପଙ୍କ ଆକାଉଣ୍ଟକୁ ପୁଣିଥରେ ସଚଳ କରିବା ପାଇଁ ଘୋଷଣା କରିଥିଲା।

ତେବେ ଯଦି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ନିୟମ ଉଲ୍ଲଙ୍ଘନ କରିବେ ତେବେ ତାଙ୍କ ବିରୋଧରେ ପୂର୍ବ ଅପେକ୍ଷା ଅଧିକ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମେଟା ଚେତାବନୀ ଦେଇଥିଲା। ସେହିରପି କ୍ୟାପିଟାଲ ହିଂସା ପରେ ଟ୍ରମ୍ପଙ୍କ ଟ୍ୱିଟର୍ ଆକାଉଣ୍ଟକୁ ମଧ୍ୟ ବ୍ଲକ କରାଯାଇଥିଲା। କିନ୍ତୁ ଏଲନ ମସ୍କ ଟ୍ୱିଟରକୁ କିଣିବା ପରେ ଗତବର୍ଷ ନଭେମ୍ବରରେ ଟ୍ରମ୍ପଙ୍କ ଟ୍ୱିଟର୍ ଆକାଉଣ୍ଟକୁ ରିଷ୍ଟୋର କରିଥିଲେ।

ଉଲ୍ଲେଖଯୋଗ୍ୟ, ୭୬ ବର୍ଷୀୟ ରିପବ୍ଲିକାନ୍ ନେତା ଡୋନାଲ୍ଡ ଟ୍ରମ୍ପ ପୁଣି ଆମେରିକାର ରାଷ୍ଟ୍ରପତି ରେସ୍‌ରେ ଅଛନ୍ତି। ତାଙ୍କର ଫେସ୍‌ବୁକ୍‌ରେ ୩୪ ମିଲିଅନ୍ ଫଲୋଅର୍ସ ଥିବା ସହ ୟୁଟ୍ୟୁବ୍‌ରେ ୨.୬ ମିଲିଅନ୍ ସବ୍‌ସ୍କ୍ରାଇବର୍ ଅଛନ୍ତି। ସେହିପରି ଟ୍ୱିଟର୍‌ରେ ଟ୍ରମ୍ପଙ୍କ ୮୭ ମିଲିଅନ୍ ପଲୋଅର୍ସ ଅଛନ୍ତି।

Leave A Reply

Your email address will not be published.